ଅନୁଗୋଳ (ଏଟିଆର ବ୍ୟୁରୋ): ଦୂଷ୍କର୍ମ ଅଭିଯୁକ୍ତକୁ ମିଳିଲା ଫାଶୀ । ଅନୁଗୁଳରେ ଏକ ନାବାଳିକାକୁ ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଅନୁଗୋଳ ଏଡିଜେ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାକୁ ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ବିଚାର କରି ଅଭିଯୁକ୍ତ ଅନାମ ଦେହୁରୀକୁ ଏହି ଦଣ୍ଡ ଦେଇଛନ୍ତି। ସବୁଠାରୁ ବଡ କଥା ହେଉଛି ରାଜ୍ୟରେ ପୋକସୋ ଅଦାଲତ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ଶୁଣାଇବା ଏହା ପ୍ରଥମ।
ଗତ ଜାନୁଆରୀ ୨୦ ତାରିଖରେ ଅନାମ ନାବାଳିକାକୁ ଦୁଷ୍କର୍ମ କରିବା ସହ ପଥରରେ ଛେଚି ହତ୍ୟା କରିଥିଲା । ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି। ସୂଚନାଯୋଗ୍ୟ ଚଳିତ ବର୍ଷ ଜାନୁଆରୀ ୧୯ତାରିଖରେ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଥିଲା । ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଲୁଗାଁର ଜଣେ ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ନାବାଳିକା ତାଙ୍କ ବାପାଙ୍କ ପାଖକୁ ଖାଦ୍ୟ ଧରି ଯାଉଥିଥିବା ସମୟରେ ନାବାଳିକାକୁ ଏକୁଟିଆ ପାଇ ଅନାମ ଦୁଷ୍କର୍ମ କରିଥିଲା ।
ଏହାପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା । ମୃତଦେହକୁ ଘୋଷାରି ନେଇ ପ୍ରାୟ ଲିଙ୍ଗରାଜୋଡୀ ନାଳ କୂଳରେ ଥିବା ଏକ ବୁଦା ଭିତରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲା। ସେଠାରୁ ସେ ସିଧା କଲିକତା ଚାଲି ଯାଇଥିବା ସୂଚନା ମିଳିଥିଲା । ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ବିଭିନ୍ନ ରାଜନୈତିକ ତଥା ଅଣରାଜନୈତିକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଶେଷରେ ଅଭିଯୁକ୍ତକୁ କୋଲକତାରୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।