ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ପୁରୀ ଆସନରୁ ନିର୍ବାଚନ ଲଢିପାରନ୍ତି ମୋଦି । ରାଜ୍ୟ ବିଜେପି ତରଫରୁ ମୋଦିଙ୍କୁ ଏଭଳି ପ୍ରସ୍ତାବ ଦିଆଯାଇଛି । ତେବେ ମୋଦି କେଉଁଠୁ ନିର୍ବାଚନ ଲଢିବେ ସେ ନେଇ ବିଜେପିର ସଂସଦୀୟ ବୋର୍ଡ ନିଷ୍ପତି ନେବ ବୋଲି ଜଣାପଡିଛି । ଆଜି ଏଭଳି କିଛି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ତେବେ ମୋଦି ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ କେଉଁଠୁ ଲଢିବେ ସେ ନେଇ କଲ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।
ମୋଟାମୋଟି ଭାବେ କହିବାକୁ ଗଲେ ମୋଦି ଯେଉଁ ଆସନରୁ ନିର୍ବାଚନ ଲଢିବେ ସେଠାରେ ବିଜେପିର ପତିଆରା ବେଶ ରହିବ ବୋଲି ଆକଳନ କରାଯାଇଛି । ପୂର୍ବରୁ ମୋଦି ୨୦୧୪ ନିର୍ବାଚନରେ ଉତ୍ତର ଭାରତରୁ ନିର୍ବାଚନ ଲଢି ଭଲ ସଫଳତା ହାସଲ କରି ପାରିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିରେ ମୋଦିଙ୍କ ନଜରରେ ପୂର୍ବ ଭାରତ ରହିଛି ।
ଆସାମ , ତ୍ରିପୁରା ଓ ଅରୁଣାଚଳ ପ୍ରଦେଶର ବିଜୟ ପରେ ଏବେ ମୋଦି ନଜର ପକାଇଛନ୍ତି ପଶ୍ଚିମବଙ୍ଗ ସମେତ ଓଡିଶା ଭଳି ଆଞ୍ଚଳିକ ଦଳ ପ୍ରାଧାନ୍ୟ ଥିବା ରାଜ୍ୟ ଗୁଡିକ ଉପରେ । ଯେମିତି ଉତ୍ତର ପ୍ରଦେଶରେ ମୋଦି ନିର୍ବାଚନ ଲଢି ମୋଟ ୮୦ ଟି ଆସନ ମଧ୍ୟରୁ ୭୧ଟି ଆସନରେ ବିଜୟ ହାସଲ କରିପାରିଥିଲେ ଠିକ ସେହିପରି ଓଡିଶାରେ ମୋଦୀ ନିର୍ବାଚନ ଲଢିଲେ ଏହାର ପ୍ରଭାବ ରାଜ୍ୟ ବିଜେପି ଉପରେ ସିଧାସଳଖ ପଡିବ ବୋଲି ଅନୁମାନ କରା୍ଯାଉଛି । ଓଡିଶାରେ ବିଜେପି ୧୨୦ ଟି ଆସନ ଜିତିବ ବୋଲି ଅମିତ ଶାହା କହିଯାଇଥିଲେ ତେବେ ଏପରି ସ୍ଥଳେ ମୋଦି ପୁରୀ ଆସନରୁ ନିର୍ବାଚନ ଲଢିଲେ ପ୍ରତିଦ୍ୱନ୍ଦିତା ମୂଳକ ଭାବେ ବିଜେପି ଲାଭରେ ରହିବ ।
ସେପଟେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ଆଜି ନରେନ୍ଦ୍ର ମୋଦିଙ୍କୁ ପୁରୀ ଆସନରୁ ଲଢିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାସହ ମୋଦି ନିର୍ବାଚନ ଲଢିଲେ ରାଜ୍ୟ ବିଜେପି ତାଙ୍କୁ ସ୍ୱାଗତ କରିବ ବୋଲି ସଭାପତି ବସନ୍ତ ପଣ୍ଡା କହିଛନ୍ତି । ତେବେ ବିଜେପି ସଂସଦୀୟ ବୋର୍ଡ କଣ ନିଷ୍ପତି ନେଉଛି ତାହା ଦେଖିବାକୁ ବାକି ରହିଲା ।