ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ବିଧାନସଭାରେ ବଜେଟ ଆଗତ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏକ ଲକ୍ଷ ସତୁରୀ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନା କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ । ଏହାସହିତ ଯୋଜନା ବ୍ୟୟ ବାବଦରେ ୭୫ ହଜାର କୋଟି, ପ୍ରଶାସନିକ ବ୍ୟୟ ବାବଦରେ ୮୫ ହଜାର କୋଟି, ବିପର୍ଯ୍ୟୟ ପରଚାଳନା ବାବଦରେ ୩୦୫୦ କୋଟି ଏବଂ ରାଜ୍ୟରୁ ଟ୍ରାନ୍ସଫର ବାବଦରେ ୬୯୫୦ କୋଟି ଟଙ୍କା ରହିଛି । ଗତବର୍ଷ ଅପେକ୍ଷା ଚଳତବର୍ଷ ବଜେଟର ପରିମାଣ ୧୩ ପ୍ରତିଶତ ବୃଦ୍ଧି ହୋଇଥିବା କୁହାଯାଉଛି ।
ବଜେଟରେ ମୁଖ୍ୟତଃ ମୂଳ ବିନ୍ଦୁ ଗୁଡିକ ରହିଛି, କାଳିଆ ଯୋଜନା ବାବଦରେ ୧୮୦୦ କୋଟି ଟଙ୍କା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ଟଙ୍କା ଏବଂ କୃଷି ଋଣ ସୁଧ ଛପରେ ସବସିଡି ବାବଦରେ ୮୧୯ କୋଟି ଟଙ୍କା । ସେହିପରି SCBକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା। SCB ପାଇଁ ଚଳିତ ବର୍ଷ ୫ଶହ କୋଟି ବ୍ୟୟବରାଦ କରାଯାଇଛି। ରାଉଲକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟବବରାଦ, ଶିକ୍ଷାକ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି ବ୍ୟୟବରାଦ । ଆଦର୍ଶସ୍କୁଲ ପାଇଁ ୨୮୦ କୋଟି, ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି , ମୋ ସ୍କୁଲ ପାଇଁ ୨୫୩ କୋଟି, ମୋ କଲେଜ ପାଇଁ ୭ କୋଟି ଏବଂ ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ସେହିପରି ଐତିହ୍ୟ ଏବଂ ମନ୍ଦିରମାନ ବିକାଶ ପାଇଁ ମଧ୍ୟ ବଜେଟରେ ବ୍ୟବସ୍ଥା କରାଯାଇଛି । ଅବଢା ଯୋଜନାରେ ପୁରୀ ସହରର ବିକାଶ ପାଇଁ ୫୪୨ କୋଟି ଟଙ୍କା, ଏକାମ୍ର ଯୋଜନାରେ ଏକାମ୍ର କ୍ଷେତ୍ର ପାଇଁ ୨୦୦ କୋଟି ଟଙ୍କା, ସମଲେଇ ଯୋଜନାରେ ସମଲେଶ୍ୱରୀ ମନ୍ଦିର ଅଞ୍ଚଳ ବିକାଶ ପାଇଁ ୨ଶହ କୋଟି ଟଙ୍କା ବଜେଟରେ ବରାଦ କରାଯାଇଛି ।
ସ୍ୱାସ୍ଥ୍ୟସେବା ପାଇଁ ୯୧୬୪ କୋଟି ବ୍ୟୟବରାଦ ହୋଇଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ ଫ୍ରି ଟ୍ରମା କେୟାର ଯୋଜନା । ଏଥିପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।