ଭୁବନେଶ୍ୱର (ଏଟିଆର ବ୍ୟୁରୋ ) : ସାରା ଦେଶରେ କୃଷିଋଣ ଛାଡକୁ ନେଇ ଜୋରସୋର ରେସ ଚାଲିଥିବା ବେଳେ ଏଥିରୁ ବାଦ ପଡିନି ଓଡିଶା । ରାଜ୍ୟ ସରକାର କୃଷିଋଣ ଛାଡ ବଦଳରେ ବିକଳ୍ପ ନିଷ୍ପତି ନେଇଛନ୍ତି । କୃଷକଙ୍କ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ନୂଆ ଯୋଜନା । ଯାହାର ନାମ ରଖାଯାଇଛି ‘କାଳିଆ’ । ଆଜି ସଚିବାଳୟରେ କୃଷକ ଆସିଷ୍ଟାନ୍ସ ଫର ଲାଇବଲିହୁଡ୍ସ ଆଣ୍ଡ ଇନକମ୍ ଅଗ୍ମେଣ୍ଟସନ୍ ବା ଏହି କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।
ଏହି ଯୋଜନାର ରୂପରେଖ କିଛି ଏହି ଭଳି ରହିବ ବୋଲି ଜଣାପଡିଛି ।
୧) ଖୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ବର୍ଷକୁ ମିଳିବ ୧୦ହଜାର ଟଙ୍କାର ସରକାରୀ ସହାୟତା । ରବି ଫସଲ ପାଇଁ ୫ହଜାର ଟଙ୍କା ଓ ଖରିଫ ଫସଲ ପାଇ ୫ହଜାର ଲେଖାଏଁ ଏହି ସହାୟତା ମିଳିବ । ବିହନ, ସାର ଓ କୀଟନାଶକ ଔଷଧ କିଣିବାରେ ଏହି ଅର୍ଥ ବ୍ୟବହାର ହେବ । ପ୍ରାୟ ୩୦ଲକ୍ଷ ଚାଷୀ ଏହା ଦ୍ୱାରା ଉପକୃତ ହେବେ ।
୨) ଜମି ନଥିବା ଲୋକଙ୍କୁ ମାଛ, ଛେଳି, କୁକୁଡା ଓ ଘୁଷୁରୀ ପାଳନ ପାଇଁ ବର୍ଷକୁ ୧୨ହଜାର ୫ଶହ ଟଙ୍କା ମିଳିବ । ୩ବର୍ଷ ପର୍ଯ୍ୟନ୍ତ ୧୦ଲକ୍ଷ ପରିବାରକୁ ଏହା ମିଳିବ ।
୩) ଉପରୋକ୍ତ ଯୋଜନାରୁ ଫାଇଦା ନେଇ ନଥିବା ଜମିହୀନ ଚାଷୀଙ୍କୁ ବାର୍ଷିକ ୧୦ହଜାର ଲେଖାଏଁ ସରକାରୀ ସହାୟତା ମିଳିବ ।
ଏହାଛଡା ଚାଷୀ ଓ ଭୁମିହୀନ ଶ୍ରମିକଙ୍କୁ ୨ଲକ୍ଷ ଟଙ୍କାର ଜୀବନ ବୀମା ଓ ଦୁର୍ଘଟଣା ଜନିତ ବୀମା ମିଳିବ । ତେବେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ସୁଧ ନିଆଯିବ ନାହିଁ ବୋଲି କ୍ୟାବିନେଟ ନିଷ୍ପତି ନେଇଛି । ଏଥିପାଇଁ ରାଜ୍ୟ ରାଜକୋଷ ଉପରେ ୧୦ହଜାର କୋଟିର ଅତିରିକ୍ତ ବୋଝ ପଡିବ ବୋଲି ଜଣାପଡିଛି ।
ଏହି ଅବସରରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ବିରୋଧୀ ଯେଉଁ ଦାବି କରୁଛନ୍ତି ତାହା ଯଥାର୍ଥ ନୁହେଁ । ବିଜେପି କେବଳ କୁହେ କିନ୍ତୁ ଆମେ କାମରେ କରି ଦେଖାଉ ବୋଲି କହିଛନ୍ତି ନବୀନ । ସେହିଭଳି କଂଗ୍ରେସର ଦାବି ହାସ୍ୟାସ୍ପଦ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷିଋଣ ଛାଡ ଦ୍ୱାରା ରାଜ୍ୟ ଦେବାଳିଆ ପରିସ୍ଥିତିର ମୁକାବିଲା କରିଥାଆନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।