ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଆଶୁ ଆରେଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମମତା ନନ୍ଦିଗ୍ରାମରୁ ପ୍ରଚାର ସାରି ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ମମତା ଆହତ ହୋଇ ‘ଏସ୍ଏସ୍କେଏମ୍ ହସ୍ପିଟାଲ୍’ରେ ଭର୍ତ୍ତି ହୋଇଛନ୍ତି ।
ମମତାଙ୍କ ବଳାଗଣ୍ଠି ଓ କାନ୍ଧ ହାଡରେ ଗଭୀର ଆଘାତ ଲାଗିଛି ବୋଲି ଡାକ୍ତର କହିଛନ୍ତି । ‘ଆଇପିଜିଏମ୍ଆର୍ ଆଣ୍ଡ୍ ଏସ୍ଏସ୍କେଏମ୍’ର ଡାକ୍ତର ଏମ୍. ବନ୍ଦୋପାଧ୍ୟାୟ କହିଛନ୍ତି, ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି ଯେ, ତାଙ୍କ ବାମ ଗୋଡ଼ର ବଳାଗଣ୍ଠି ହାଡ଼ରେ ଭୀଷଣ ଆଘାତ ଲାଗିଛି ଓ ବାମ ପାଦ କ୍ଷତାକ୍ତ ହୋଇଛି।
ମମତାଙ୍କ ବାମ ଗୋଡରେ ଗଭୀର ଆଘାତ ଲାଗିଥିବା ହେତୁ ତାଙ୍କ ଗୋଡ ପ୍ଲାଷ୍ଟର କରାଯାଇଛି । ଏପରି ଅଘଟଣ ପରଠାରୁ ତାଙ୍କ ଛାତିରେ ଗଭୀର ଯନ୍ତ୍ରଣା ହେବା ସହ ଅଣନିଶ୍ୱାସ ଲାଗୁଥିବା କଥା କହିଛନ୍ତି । ତେଣୁ ଆଗାମୀ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯିବ । ଆହତ ହେବା ପରେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯିବା ସହ ତାଙ୍କୁ କୋଲକତା ଅଣାଯାଇଥିଲା ।