ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ଆଉ ଦେଖା ଯିବେନି ଭିକ୍ଷୁକ । ରାଜ୍ୟ ସରକାର ଭିକ୍ଷୁକ ମାନଙ୍କ ପାଇଁ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବେ । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷାମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ରାଜ୍ୟ ସରକାର ଶ୍ରାମନ୍ଦିର ପୁରୀ ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
ପ୍ରଥମେ ପୁରୀ ଶ୍ରୀମନ୍ଦିର ଚାରିପଟେ ଥିବା କୋଠା ଉଠା ଦୋକାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ପରେ କିଛି ଦିନ ତଳେ ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମନ୍ଦିର ଚାରିପଟେ ଥିବା ଦୋକାନ ବଜାରକୁ ଉଚ୍ଛେଦ କରାଯାଇ ଏହାର ସୌନ୍ଦର୍ଯୀକରଣ କରାଯାଉଛି । ତେବେ ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ମନ୍ଦିର ବାହାରେ କିମ୍ବା ରାସ୍ତା କଡରେ ଭିକ୍ଷା ବୃତ୍ତି କରି ଗୁଜୁରାଣ ମେଣ୍ଟାଉଥିବା ଭିକ୍ଷୁକ ମାନଙ୍କୁ ସରକାର ଥଇଥାନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ।
ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରାଯାଇ ତାଙ୍କ ପାଇଁ ପୁରୀ ଓ ଭୁବନେଶ୍ୱରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ । ଏହା ଦ୍ୱାରା ତାଙ୍କର ଆର୍ଥିକ ଦାରିଦ୍ରତା ଦୂର ହୋଇପାରିବ । ଏହି ପ୍ରଶିକ୍ଷଣ କେନ୍ଦ୍ର ପ୍ରଥମେ ପୁରୀ ଓ ଭୁବନେଶ୍ୱରେ ଖୋଲା ଯିବା ପରେ ସାରା ରାଜ୍ୟରେ ଖୋଲାଯିବ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।