ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପମାନ ଗ୍ରହଣ କରାଯାଉଛି । ରାଜ୍ୟରେ ଅଧିକ ସଂଖ୍ୟାକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନିକଟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଚନ୍ଦ୍ରଭାଗା ଠାରେ ଇକୋ ଟୁରିଜିମ ଆୟୋଜନ କରାଯାଇଥିଲା । ଯାହା ସମସ୍ତ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥିଲା । ତେବେ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନ କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗକୁ ଯାଇ ରାଜ୍ୟରେ ୱାଟର ସ୍ପୋର୍ଟସ ଟୁରିଜିମ ଓ ଜଳ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ଆଗକୁ ନେବା ଲକ୍ଷ୍ୟରେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗର ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରାଯାଇଛି ।
ଏହି ଏମଓୟୁରେ ଜଳକ୍ରୀଡା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଉଭୟ ରାଜ୍ୟ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ତେବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏସିଆର ସର୍ବବୃହତ ଲୁଣା ହ୍ରଦ ଚିଲିକା, ରାଜ୍ୟର ୪୮୨କିମି ସୁଦୀର୍ଘ ଉପକୂଳ, ୮ବୃହତ ଜଳଭଣ୍ଡାର ସହ ଏହାର ସୌନ୍ଦର୍ଯ୍ୟପୂର୍ଣ୍ଣ ଜଳାଶୟଗୁଡିକରେ ଜଳକ୍ରୀଡା, ଆମୋଦପୂର୍ଣ୍ଣ କ୍ରୀଡା ସହ ହାଉସ ବୋର୍ଟ ଭଳି ପର୍ଯ୍ୟଟନଧର୍ମୀ କାର୍ଯ୍ୟକ୍ରମ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗ୍ରହଣ କରାଯିବ । କେରଳ ଶିପିଂ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ତରଫରୁ ଏହାର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ନାୟାର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ପର୍ୟ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏମ୍ଓୟୁ ସ୍ବାକ୍ଷର କରିଥିଲେ। ଏହି ଉଦ୍ୟମ ଓଡ଼ିଶାରେ ଜଳକ୍ରୀଡ଼ାର ବିକାଶ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ନାୟାର କହିଛନ୍ତି। ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ରହିବା ସହିତ ପର୍ୟ୍ୟଟନ କ୍ଷେତ୍ରରେ ଥିବା ଭିତ୍ତିଭୂମିର ଉନ୍ନତି ଲାଗି ରାଜ୍ୟ ସରକାରଙ୍କ ‘୫-ଟି’ କାର୍ୟ୍ୟକ୍ରମର ଏହା ଏକ ଅଂଶବିଶେଷ ବୋଲି କହିଛନ୍ତି।