ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ବଡ ପକ୍ଷକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ସରକାର ନିଜ ଖର୍ଚ୍ଚରେ ଓଡିଆଙ୍କୁ ଫେରାଇ ଆଣିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହାସହିତ ସମସ୍ତ ଓଡିଆଙ୍କୁ ନିଜ ଖର୍ଚ୍ଚରେ ଫେରାଇ ଆଣିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ।
ଏହାସହିତ ୟୁକ୍ରେନରେ ଥିବା ଛାତ୍ର ଓ ଶ୍ରମିମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ଓ ଏଭଳି ଏକ ସଙ୍କଟ ସମୟରେ ସେମାନଙ୍କ ପରିବାର ସହ ସମନ୍ୱୟ ରକ୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ । ସମସ୍ତ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ କେନ୍ଦ୍ରଗୃହମନ୍ତ୍ରୀ ତାଙ୍କୁ ଆଶ୍ୱସନା ଦେଇଛନ୍ତି ।