କଟକ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଭୟ । କିଭଳି କରୋନା ମୁକାବିଲା କରାଯିବ ସେନେଇ ଏବେ ସାରା ବିଶ୍ୱ ଚିନ୍ତାରେ । ତେବେ ଏହାରି ଭିତରେ ଓଡିଶା ହାଇକୋର୍ଟ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିଷ୍ପତି ନିଆଯାଇଛି । କରୋନା ଭାଇରସ ବ୍ୟାପିବା ଓ କେନ୍ଦ୍ର ସରକାରଙ୍କ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା ଯୋଗୁଁ ଆଜି ଠାରୁ ଏପ୍ରିଲ ୧୫ ଯାଏଁ ହାଇକୋର୍ଟ ବନ୍ଦ ରହିବ । ଏନେଇ ଗତକାଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ ମାର୍ଚ୍ଚ ୨୬ ତାରିଖରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଜରୁରୀ ମାମଲାଗୁଡ଼ିକୁ ଦିନ ୧୧ଟାରୁ ମଧ୍ୟାହ୍ନ ୧୨ଟ ମଧ୍ୟରେ ହାଇକୋର୍ଟ ଅଫିସ୍ ଇ-ମେଲ୍ drj.od-hc@gov.in ଜରିଆରେ ଡେପୁଟି ରେଜିଷ୍ଟାରଙ୍କ ନିକଟରେ ଆଗତ କରିବାକୁ ପଡ଼ିବ ।
ସୂଚନା ଯୋଗ୍ୟ କରୋନା ଭାଇରସ ଏବେ ସାରା ଦେଶରେ ତାର କାୟା ବିସ୍ତାର କରିବାରେ ଲାଗିଛି । ୧୯୬ ଦେଶରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ପ୍ରାୟ ୧୬ ହଜାରରୁ ଅଧିକ ଲୋକ ଏହି ଭାଇରସରେ ମୃତ୍ୟୁବରଣ କରିଛନ୍ତି । ତେବେ ଭାରତରେ ମଧ୍ୟ ଏହି ଭାଇରସ ତାର ପ୍ରକୋପ ବଢାଇବାରେ ଲାଗିଛି । ଭାରତରେ ୫୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ୨ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି ।