ଭୁବନେଶ୍ୱର (ଏଟିଆର ବ୍ୟୁରୋ); କାହା ଚାପରେ ନ ଡରି ସତ୍ୟକୁ ଲୋକଲୋଚନକୁ ଆଣିଥାନ୍ତି ସାମ୍ବାଦିକ । ଏଣୁ ସମ୍ବିଧାନ ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଇଥାଏ । ତେବେ ଦୁଃଖ କଷ୍ଟ ସହି କାମ କରୁଥିବା ଲୋକକୁ ଯେତେବେଳେ ପୁରଷ୍କାର ମିଳିଥାଏ ତା ଖୁସି କହିଲେ ନସରେ । ତେବେ ଏକଥା କହିବାର ତାତ୍ପର୍ଯ୍ୟ ଏହିକି ଆସନ୍ତା ଅଗଷ୍ଟ ୧୦ ତାରିଖରେ ଓଡିଆ ସାମ୍ବାଦିକଙ୍କୁ ‘ଓଡ଼ିଆ ସାମ୍ବାଦିକତା ସମ୍ମାନ’ରେ ସମ୍ମାନିତ କରାଯିବ।
ଦିଲ୍ଲୀସ୍ଥିତ ଓଡ଼ିଆ ପ୍ରତିଷ୍ଠାନ ‘ପଲ୍ଲିବାଣୀ ମିସନ’ ପକ୍ଷରୁ ନୂଆଦିଲ୍ଲୀ କନ୍ଷ୍ଟିଚ୍ୟୁସନ୍ କ୍ଲବ୍ର ସ୍ପିକର ହଲ୍ରେ ଆୟୋଜିତ ହେବାକୁ ଥିବା ଏକ କାର୍ୟ୍ୟକ୍ରମ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ। ଚଳିତ ବର୍ଷ ଏହି ସମ୍ମାନ ଓଡ଼ିଶାର ୭ ଜଣ ସାମ୍ବାଦିକକୁ ପ୍ରଦାନ କରାଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ୭ଜଣଙ୍କ ମଧ୍ୟରେ ଅଛନ୍ତି ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ କାର୍ୟ୍ୟରତ ବ୍ୟକ୍ତିବିଶେଷ ବିରୂପାକ୍ଷ ତ୍ରିପାଠୀ, ଅର୍ଦ୍ଧେନ୍ଦୁ ଦାସ, ଅରବିନ୍ଦ ଦାସ, ଧୀରେନ୍ଦ୍ର ନାରାୟଣ ମିଶ୍ର, ସମ୍ବିତ ସାହୁ, ସୌଭାଗ୍ୟ ସୁନ୍ଦରରାୟଙ୍କୁ ଓଡ଼ିଶା ଜର୍ନାଲିଜିମ୍ ଆଓ୍ବାର୍ଡ ପ୍ରଦାନ କରାଯିବ। ଓଡ଼ିଶାର ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’କୁ ସଂସ୍ଥା ଭାବେ ଏହି ପୁରସ୍କାର ମିଳିବ ।
ତେବେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ମହାସମାରୋହରେ ଅତିଥୀ ଭାବରେ ଯୋଗ ଦେବାକୁ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଏନେଇ ସୂଚନା ଦେଇଛନ୍ତି ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ । ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ ଓଡିଆ ସାମ୍ବାଦିକଙ୍କୁ ଦିଲ୍ଲୀରେ ସମ୍ମାନ କରିବା ଅତି ଭାଗ୍ୟର କଥା । ତେବେ ଏହି ଅବସରରେ ବହୁ ପ୍ରତିଷ୍ଠିତ ଓଡିଆ ସାମ୍ବାଦିକ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ପଲ୍ଲୀବାଣୀ ପକ୍ଷରୁ ଏହି ସମ୍ମାନ ସମାରୋହ ଦୀର୍ଘ ୨୩ ବର୍ଷ ହେବ ଅନୁଷ୍ଠିତ ହେଉଛି । ନିୟମିତ ଭାବରେ ପ୍ରତ୍ୟେକ ବର୍ଷ ଏହି ସମ୍ମାନ ଦିଆଯାଉଛି । ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବରିଷ୍ଟ ସାମ୍ବାଦିକମାନେ ପୂର୍ବରୁ ସମ୍ମାନିତ ହୋଇଛନ୍ତି । ଓଡ଼ିଆ ଏବଂ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ହାସଲ କରିଥିବା ସାମ୍ବାଦିକମାନଙ୍କୁ ପ୍ରତିବର୍ଷ ପଲ୍ଲୀବାଣୀ ମିଶନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ତେବେ ବର୍ଷ ତମାମ ଜଣେ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ କାମ କରିଥାଏ । ଏବଂ ବର୍ଷ ଶେଷରେ ଏହି ପୁରଷ୍କାର ପାଇବା ପରେ ଖୁସି ଅନୁଭବ କରିଥାନ୍ତି ।