ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଥମେ ମୋ ବସ ,ପରେ ମୋ ସାଇକେଲ ଓ ଏବେ ମୋ ସ୍କୁଲ ଆପ୍ କୁ ଆଣିଛନ୍ତି ରାଜ୍ୟ ସରକାର । ମୋ’ ସ୍କୁଲ ୨ବର୍ଷ ପୂରଣ ହେବା ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ’ ସ୍କୁଲ ମୋବାଇଲ ଆପ୍ କୁ ଉନ୍ମୋଚନ କରିଛନ୍ତି । ଏହି ଆପ୍ ହେବା ଫଳରେ ଅଧିକ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ, ଅନୁଷ୍ଠାନ, ସଂସ୍ଥା ବିଦ୍ୟାଳୟ ସହ ଯୋଡି ହେବାର ସୁଯୋଗ ସୃଷ୍ଟି ହେବ ।ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ଗହଣରେ ଏହି ଆପକୁ ଉନ୍ମୋଚନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ, ମୋ ସ୍କୁଲ ଅଧ୍ୟକ୍ଷ, ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ଏବଂ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇ ମୋ ସ୍କୁଲ ଯୋଜନାର ସମୀକ୍ଷା କରିଛନ୍ତି । ଦୁଇ ବର୍ଷ ମଧ୍ୟରେ ୨ ହଜାର ୯୮୫ଟି ବିଦ୍ୟାଳୟ ମୋ ସ୍କୁଲ ଯୋଜନାରେ ସାମିଲ ହୋଇଛନ୍ତି । ଏହି ଆପ ହେବା ଫଳରେ ମୋ ସ୍କୁଲ ବିଷୟରେ ସମସ୍ତେ ଜାଣି ପାରିବା ସହ ପିଲାମାନେ ସ୍କୁଲ ପ୍ରତି ଆକୃଷ୍ଟ ହେବେ ବୋଲି ସରକାର ଆଶା ରଖିଛନ୍ତି ।