ପାରଳାଖେମୁଣ୍ଡି(ଏଟିଆର ବ୍ୟୁରୋ): ରାଜ୍ୟରେ କିନ୍ନର ମାନଙ୍କ ଥଇଥାନ ଓ ରୋଜଗାରର ସମସ୍ୟା ବଢୁଥିବା ବେଳେ ଆଇପିଏସ ସାରା ଶର୍ମାଙ୍କ ଏକ ନିଆରା ପ୍ରୟାସ ନିଶ୍ଚିତ ଭାବରେ କିନ୍ନର ମାନଙ୍କୁ ରୋଜଗାର ଦେବା ସହିତ ସେମାନଙ୍କୁ ସମାଜରେ ପରିଚୟ ମଧ୍ୟ ଦେବାରେ ସହାୟକ ହେବ ।
କିନ୍ନର ମାନଙ୍କ ପାଇଁ ଓମଫେଡ ପାର୍ଲର ଖୋଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସପି ସାରା ର୍ଶମା । କିନ୍ନର ମାନଙ୍କୁ ଥଇଥାନ କରିବା ଉଦେଶ୍ୟରେ ସ୍ଥାନୀୟ ଡାକ୍ତରଖାନା ସମ୍ମୁଖରେ ଏହି ଓମଫେଡ ପାର୍ଲର ଟି ଖୋଲାଯାଇଛି ।
ଏହି ଓମଫେଡ ପାର୍ଲରଟି ସପ୍ତାହରେ ସାତଦିନ ଓ ଦିନରାତି ୨୪ଘଣ୍ଟା ଖୋଲା ରହିବ । ଏବଂ ଏଠାରେ ଚା, କଫି, ଗରମ କ୍ଷୀର ସହିତ ପାଣି ମଧ୍ୟ ବିକ୍ରି କରାଯିବ । ଯାହା ଦ୍ୱାରା ଡାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଉପକୃତ ହେବା ସହିତ କିନ୍ନର ମାନେ ମଧ୍ୟ ଦି ପଇସା ରୋଜଗାର କରିପାରିବେ ।
ଏହି ପାର୍ଲରଟି ଗତକାଲି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଦଘାଟନ କରିଥିଲେ ।
ତେବେ ଏସପିଙ୍କ ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରେ ସ୍ୱାଗତ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି । ଏନେଇ ସାରା ର୍ଶମା କହିଛନ୍ତି ସେ ପୁର୍ବରୁ କିନ୍ନର ମାନଙ୍କ ବିଷୟରେ ପଢିଥିଲେ ଏବଂ ସମାଜରେ କିପରି ତାଙ୍କୁ ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖିନ କରିବାକୁ ହୁଏ ସେସବୁ ଜାଣିବା ପରେ ସେ କିନ୍ନର ମାନଙ୍କୁ କିଛି ରୋଜଗାର ଦେବା ଥଇଥାନ କରାଇବା ପାଇଁ ଏଭଳି ପଦକ୍ଷପ ନେଇଛନ୍ତି ।