ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ପାଇଁ ଚାରିଆଡେ ଲକ୍ ଡାଉନ୍ । କେବଳ ଜରୁରୀ ଦୋକାନକୁ ବାଦ୍ ଦେଲେ ସବୁକିଛି ବନ୍ଦ । ଏପରିକି ଗାଡି ମୋଟର ଚଳାଚଳ ବି ବନ୍ଦ ରହିଛି । ଇତିମଧ୍ୟରେ ରବିବାର କଟକ ଓ ଭୁବନେଶ୍ୱରରେ ଓଲା ପକ୍ଷରୁ ଜରୁରୀକାଳୀନ ସେବା ଆରମ୍ଭ ହୋଇଛି । ଏହି ସେବା କେବଳ ଜରୁରୀ ସେବାରେ ନିୟୋଜିତ ଥିବା ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫ ମାନଙ୍କ ପାଇଁ ଉଦ୍ଦିଷ୍ଟ । ଲକ୍ ଡାଉନ୍ ସମୟରେ ଏହି ସେବା ଯୋଗାଇ ଦିଆଯିବ । ସେଥିପାଇଁ ଓଲା ସହ ଅନୁବନ୍ଧିତ ଥିବା ୧୦୦ ଟି ଗାଡିକୁ ପୋଲିସ କମିଶନରେଟ ପକ୍ଷରୁ ଲକ୍ ଡାଉନ୍ ପାସ ପ୍ରଦାନ କରାଯାଇଛି ।
ଏହାବ୍ୟତିତ ଯଦି କୌଣସି ବ୍ୟକ୍ତିଙ୍କର ବା ବରିଷ୍ଠ ନାଗରିଙ୍କର ସ୍ୱାସ୍ଥ୍ୟସେବା ଜରୁରୀ ପଡେ ତେବେ ସେ ଏହି ଜରୁରୀକାଳୀନ ସେବାକୁ ବ୍ୟବହାର କରି ପାରିବେ । ସେମାନେ ନିଜ ଘରୁ ଡାକ୍ତରଖାନାକୁ ଯାଇ ପାରିବେ ଏବଂ ସେଠାରୁ କାମ ସାରି ଘରକୁ ଫେରିପାରିବେ । କେବଳ ପ୍ରକାଶ ପାଇଥିବା ଡାକ୍ତରଖାନାର ତାଲିକା ଅନୁସାରେ ଗାଡି ସେହି ରୁଟ୍ ରେ ଯିବା ଆସିବା କରିବ । ଏହି ୧୦୦ ଟି ଗାଡିର ଗତିବିଧି କମିଶନରେଟ ପୋଲିସ ପକ୍ଷରୁ ଟ୍ରାକ୍ କରାଯିବ । ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏହି ଗାଡିରେ ଡ୍ରାଇଭରଙ୍କୁ ମିଶାଇ ସର୍ବାଧିକ ୩ ଜଣ ଯାତ୍ରା କରିପାରିବେ ।
ଲକ୍ ଡାଉନ୍ ଯୋଗୁଁ କିଛି ଲୋକଙ୍କ ପାଇଁ ଜରୁରୀ ସ୍ଥାନକୁ ଯିବା ଲାଗି ଅନେକ ଅସୁବିଧା ହେଉଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁବିଧା ପାଇଁ କଟକ ଏବଂ ଭୁବନେଶ୍ୱରେ ଓଲା କ୍ୟାବ୍ ସେବା ଆରମ୍ଭ ହୋଇଛି ।