ପୁରୀ (ଏଟିଆର ବ୍ୟୁରୋ ) ; ପଞ୍ଚଭୂତରେ ଲୀନ ହେଲା ବିଶିଷ୍ଟ ପ୍ରଯୋଜକ ତଥା ନିର୍ଦ୍ଧେଶକ ଅମୀୟ ପଟ୍ଟନାୟକଙ୍କ ଶରୀର । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ସଂସ୍କାର କରାଯାଇଛି । ସମ୍ପୁର୍ଣ୍ଣ ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କୁ ବିଦାୟ ଦିଆଯାଇଛି । ଗତକାଲି ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିଲା ।
ତାଙ୍କୁ ଆଜି ଭୁବନେଶ୍ୱର ସ୍ଥିତ ସମ୍ବାଦ ବାସଭବନରେ ରଖାଯାଇଥିଲା । ସେଠାରେ ବହୁ ମାନ୍ୟଗଣ୍ୟବ୍ୟକ୍ତି ବିଶେଷ ମାନେ ଅମୀୟଙ୍କ ଶେଷ ଦର୍ଶନ ପାଇଁ ଆସି ଶ୍ରଦ୍ଧାଞ୍ଜଳୀ ଦେଇଥଲେ । ପରେ ତାଙ୍କ ମର ଶରୀରକୁ ଅଣାଯାଇ ତାଙ୍କ ବାସ ଭବନରେ ରଖାଯାଇଥିଲା । ଆଜି ତାଙ୍କ ଶରୀରକୁ ଏକ ସୁସଜ୍ଜିତ ଯାନ ମାଧ୍ୟମରେ ପୁରୀ ସ୍ୱଗ୍ରଦ୍ୱାରକୁ ନିଆଯାଇଥିଲା ।
ସେଠାରେ ତାଙ୍କ ପୁଅ ତଥା ଚଳଚିତ୍ର ପ୍ରଯୋଜକ ଅନୁପମ ପଟ୍ଟନାୟକ ଅମୀୟଙ୍କୁ ମୂଖାଗ୍ନି ଦେଇଥିବା ଜଣାପଡିଛି । ଶେଷକୃତ୍ୟ ସମୟରେ ଅମୀୟଙ୍କ ଭାଇ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ , ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅମୀୟ ପଟ୍ଟନାୟକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି ।