ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଲିଉଡ ଜଗତର ବର୍ଷିୟାନ କଣ୍ଠଶିଳ୍ପୀ ଚିତ୍ତ ଜେନା ଆଉ ନାହାନ୍ତି ଆମ ଗହଣରେ । ସେ ଆଜି କଟକର ଏକ ଘରୋଇ ନର୍ସିଂହୋମରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।
୨୦୧୬ରେ ନୂଆଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇଂଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ରେ ଶ୍ରୀ ଜେନାଙ୍କର ଓପନ୍ ହାର୍ଟ ସର୍ଜରୀ ହୋଇଥିଲା ବୋଲି ପରିବାର ସୂତ୍ରରୁ ଜଣାପଡିଛି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା, ସେଥିଲାଗି ତାଙ୍କୁ ଗତ ତିନି ସପ୍ତାହ ହେବ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠି ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଓଲିଉଡ ଜଗତ ସମେତ ବିଭିନ୍ନ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ସେ ଅନେକ ଲୋକପ୍ର୍ରିୟ ଓଡିଆ ଫିଲ୍ମରେ କଣ୍ଠଦାନ କରିଛନ୍ତି । ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’, ‘ରୂପ ହୋଇଥିବ ଲାବନ୍ୟ ବତୀ’, ‘ଉଡିଗଲା ଗେଣ୍ଡାଳିଆ’ ଏବଂ ‘କି ସୁନ୍ଦର ଆହା କି ଆନନ୍ଦମୟ’ ଆଦି ତାଙ୍କର ଏହି ଗୀତ ଗୁଡିକ ଖୁବ୍ ଚର୍ଚ୍ଚିତ ।
୧୯୪୧ରେ ଶ୍ରୀ ଜେନା ଜନ୍ମଗ୍ରହଣ କରିଥିଲେ । ତାପରେ ୧୯୭୪ରେ ଏକ ଫିଲ୍ମ ‘ମନ ଆକାଶ’ ଜରିଆରେ ସେ ତାଙ୍କର ପ୍ରଥମ କଣ୍ଠଦାନ କରିଥିଲେ । ଯେଉଁଥି ପାଇଁ ତାଙ୍କୁ ପ୍ରଫୁଲ୍ଲ କର ଫାଉଣ୍ଡେସନ୍ ତରଫରୁ ପ୍ରଫୁଲ୍ଲ କର ସମ୍ମାନରେ ସମ୍ମାନିତ କରାଯାଇଥିଲା ।