ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମୁକାବିଲା କରିବାରେ ଲାଗିପଡିଛି । ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ପାଇଁ ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଠିକୁ ଦେବା ସହ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ବିଭିନ୍ନ ମହଲରୁ ପାଣ୍ଠିକୁ ସହାୟତାର ସୁଅ ଛୁଟିବାରେ ଲାଗିଛି । ଓଡିଶା ଖଣି ନିଗମ ପକ୍ଷରୁ କରୋନା ମୁକାବିଲା କରିବା ପାଇଁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ତେବେ ପୂର୍ବରୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର, ମନ୍ତ୍ରୀ ରଘୁନନ୍ଦନା ଦାସଙ୍କ ସମେତ ୧୬ ଜଣ ବିଧାୟକ ସେମାନଙ୍କର ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏହା ସହ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଗୋଟିଏ ବର୍ଷର ଏମଏଲଏ ଲାଡ୍ ପାଣ୍ଠିକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ସେହିଭଳି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଓ ବିଜେଡି ଏମ୍ପି ସସ୍ମିତ୍ ପାତ୍ର ନିଜ ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।
ସୂଚନା ଯୋଗ୍ୟ କରୋନା ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ୧୯୬ ଦେଶକୁ ବ୍ୟାପି ସାରିଲାଣି । ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାୟ ୧୪ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ଏହି ଭାଇରସରେ ୪୦୦ ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୨ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠୁ ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି ।