ଜଳେଶ୍ୱର(ଏଟିଆର ବ୍ୟୁରୋ): ଅଧାବାଟରେ ଟଳି ପଡିଲେ ପ୍ରବାସୀ ଓଡିଆ । ଘରେ ପଅଞ୍ଚି ପାରିଲେନି ଧୁବେଇ ଚରଣ । କଲିକତାରୁ ଧୁବେଇ ଚରଣ ମାହାନ୍ତି ନାମକ ଜଣେ ପ୍ରବାସୀ ଓଡିଆ ଚାଲିଚାଲି ଘରକୁ ଫେରୁଥିଲେ । ହେଲେ ଅଧା ରାସ୍ତାରେ ଝୁଣ୍ଟି ପଡି ଅଚେତ ହୋଇ ପଡିଥିଲେ । ସ୍ଥାନୀୟ ଲୋକ ଧୁବେଇ ଚରଣଙ୍କୁ ଆଣି ଏକ ଗଛ ମୂଳରେ ଶୁଆଇ ଦେଇଥିଲେ । ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଧୁବେଇଙ୍କ ନିକଟରୁ ଆଧାର କାର୍ଡ ମିଳିଛି । ସେଥିରୁ ଜଣାପଡିଛି ଯେ, ଧୁବେଇଙ୍କ ଗାଁ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ବୋଲି ଜଣାପଡିଛି । ଧୁବେଇ କଲିକତାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଲକ୍ ଡାଉନ୍ ପାଇଁ ସେ କଲିକତାରୁ ଘରକୁ ଫେରୁଥିଲେ ।
ଜଳେଶ୍ୱରର ଲକ୍ଷ୍ମଣନାଥ ଫାଟକ ନିକଟରେ ଧୁବେଇ ଝୁଣ୍ଟି ପଡି ଅଚେତ ହୋଇ ପଡିଥିଲେ । କଲିକତାରୁ ସେ ଏକ ବସ ଯୋଗେ ଜଳେଶ୍ୱର ପର୍ଯ୍ୟନ୍ତ ଆସି ସେଠାରୁ ଚାଲି ଚାଲି ଘରକୁ ଫେରୁଥିଲେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ କରୋନା ମାହାମାରୀର ମୁକାବିଲା କରିବା ପାଇଁ ସାରା ଦେଶକୁ ୧୭ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ କରିଦିଆଯାଇଛି । ଫଳରେ ବହୁ ପ୍ରବାସୀ ଓଡିଆ ବାହାର ରାଜ୍ୟରେ ଫସି ହୋଇ ରହିଛନ୍ତି । ସେମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରୟାଶ କରାଯାଉଛି । ଟ୍ରେନ ଯୋଗେ ବହୁ ପ୍ରବାସୀ ଓଡିଆ ଓଡିଶା ଫେରୁଛନ୍ତି ।