ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରୁ ଲଗାତାର ଭାବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ ଥିବାର ଜଣା ପଡିଛି । ଆକ୍ରାନ୍ତ ଜଣଙ୍କ ଡମଣା ଅଞ୍ଚଳର ଜଣ ୨୫ ବର୍ଷୀୟ ଯୁବକ । ନିକଟରେ ସେ ମୁମ୍ବାଇରୁ ଫେରି ହୋମ୍ କ୍ୱାରାଣ୍ଟାଇନରେ ରହିଥିଲେ ।
ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି । ସେହିପରି ଭୁବନେଶ୍ୱରୁ ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶୈଲେଶ୍ରୀ ବିହାରର ଜଣେ ୨୩ ବର୍ଷୀୟ ଯୁବକ ସୁସ୍ଥ ହୋଇଥିବା ବେଳେ ନୟାପଲ୍ଲୀ ଅଞ୍ଚଳରୁ ଜଣେ ୪୬ ବର୍ଷର ପୁରୁଷ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ମୋଟ ୫୩ ଜଣ ସୁସ୍ଥ ହୋଇଛନ୍ତି । ସେହିଭଲି ବର୍ତ୍ତମାନ ଭୁବନେଶ୍ୱରରେ ୩୩ଟି ସକ୍ରିୟ କେସ୍ ଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି ।