ନୂଆଦିଲ୍ଳୀ (ଏଟିଆର ବ୍ୟୁରୋ) ; ଓଡିଶା ସରକାର ଜଗା କାଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସକୁ ପଠାଇଥିଲେ । ଗତ ବର୍ଷ ଅକ୍ଟୋବର ୨୫ ତାରିଖରେ ନ୍ୟୁରୋସର୍ଜନ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ୪୦ ଜଣିଆ ଡାକ୍ତରୀ ଟିମ ଆରମ୍ଭ କରିଥିଲେ ଅସ୍ତ୍ରୋପଚାର । ଡାକ୍ତରଙ୍କ ୩୦ ଘଣ୍ଟାର ଅକ୍ରାନ୍ତ ପରିଶ୍ରମ ପରେ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାରେ ସଫଳ ହୋଇଥିଲା ଡାକ୍ତରୀ ଟିମ । ଆଜକୁ ବର୍ଷେ ପୁରିଲା । ଦୁଇ ଯୋଡାମୁଣ୍ଡ ଅଲଗା ହୋଇଛି ସତ କିନ୍ତୁ ଏବେ ଯାଏଁ ଘରକୁ ଫେରି ନାହାଁନ୍ତି ଦୁଇ ଭାଇ ।
ବର୍ଷକ ମଧ୍ୟରେ ୮ ଥର ଚର୍ମ ପ୍ରତିରୋପଣ କରାଯାଇଛି । ଜଗା କାଳିଆ ଏବେ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଛନ୍ତି । ଏଣୁ ଜଗା କାଳିଆଙ୍କ ଡିସଚାର୍ଜ କରିବା ପାଇଁ ଏମ୍ସ ପକ୍ଷରୁ ନିଷ୍ପତ୍ତି ନେଇଥିଲେ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଏମ୍ସରେ ରହିବା ପାଇଁ ନିବେଦନ କରିଛନ୍ତି ଓଡିଶା ସରକାର । ୩ ବର୍ଷରୁ ୫ ବର୍ଷ ଭିତରେ ପ୍ଳାଷ୍ଟିକ ସର୍ଜରୀ କରାଯିବାର ଆବଶ୍ୟକତା ରହିଛି । ସେମାନଙ୍କ ବୋନ ଫ୍ଲାପକୁ ୫ ବର୍ଷ ଭିତରେ ବଦଳାଯିବ ।