କଟକ(ଏଟିଆର ବ୍ୟୁରୋ): ବାରବାଟି ଷ୍ଟାଡିୟମରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଆସନ୍ତା ୨୨ ତାରିଖ ଦିନ କଟକ ବାରବାଟି ଷ୍ଟାଡିୟରେ ଏହି ମ୍ୟାଚ ଖେଳା ଯିବ । ଏଥିପାଇଁ ୮ ହଜାର ୧୫୦ଟି ଟିକେଟ ଆଜି ଠାରୁ ଅନଲାଇନରେ ବିକ୍ରି ହେବ । ଏନେଇ ଓସିଏ ପକ୍ଷରୁ ସୂଚନା ମିଳିଛି । କ୍ରିକେଟ ପ୍ରେମି ମାନେ ଅନଲାଇନରେ କିଣି ଥିବା ଟିକେଟ ଆସନ୍ତା ୧୯, ୨୦ ଏବଂ ୨୧ ତାରିଖରେ କେମ୍ବ୍ରିଜ ସ୍କୁଲ କାଉଣ୍ଟରରୁ ଟିକେଟ ଆଣିପାରିବେ ।
ଗ୍ୟାଲେରି ନଂ ୨ ଓ ୪ର ଟିକେଟ ଦାମ ୫ ଶହ ଟଙ୍କା ଥିବା ବେଳେ ଗ୍ୟାଲେରି ୬ର ଟିକେଟ ୪ ଶହ, ନ୍ୟୁ ପାଭିଲିଅନ ଓ ଏସି ବକ୍ସ ଗ୍ୟାଲେରୀର ଦାମ ୫ହଜାର, ସ୍ପେଶାଲ ଏନକ୍ଲୋଜର ଟିକେଟ ୩ ହଜାର ଟଙ୍କା ରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଟିକେଟ ବିକ୍ରି ଚାଲିବ । ଅନ୍ୟପଟେ ଟିକେଟ ବିକ୍ରିକୁ ନେଇ କମିଶନରେଟ ପୋଲିସ ସଜାଗ ହୋଇରହିଛି । ଅନଲାଇନ ହେଉ ଅବା କାଉଣ୍ଟରରେ ଟିକେଟ ବିକ୍ରି ହେଉ ଟିକେଟର କଲାବଜାରି ଉପରେ ପୋଲିସର ନଜର ରହିବ । କିଭଳି ଶାନ୍ତି ଶୃଙ୍ଖଳାରେ ଟିକେଟ ବିକ୍ରି ହେବ ଓ ଟିକେଟର କଳାବଜାରୀ ଯେଭଳି ନହୁଏ ସେଥିପାଇଁ ପୋଲିସ ସଜାଗ ହୋଇ ରହିଛି ।