ଭୁବନେଶ୍ୱର : ଢ଼େର ହେଲା, ବହୁତ ହେଲା । କେତେଦିନ ଆଉ ମନ୍ତ୍ରୀମାନଙ୍କ ମୁଣ୍ଡ ନେବେ ମୁଖ୍ୟମନ୍ତ୍ରୀ । ଏବେ ସମୟ ଆସିଛି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ନିଜେ ଇସ୍ତଫା ଦିଅନ୍ତୁ । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିନଳୀରେ ଏଭଳି ବର୍ଷିଛନ୍ତି ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ।
ଶ୍ରୀ ନାୟକ କହିଛନ୍ତି, ପିପିଲି ଗଣ ଦୁଷ୍କର୍ମ ମାମଲାରୁ ଚପାଇ ଦେବା ପାଇଁ ଯେଉଁ ଷଡଯନ୍ତ୍ର କରାଯାଇଥିଲା, ତାହାର ଚେର ବିଜୁ ଜନତା ଦଳର ସର୍ବୋଚ୍ଚ କର୍ତ୍ତା ତଥା ପ୍ରଶାସନର ସର୍ବୋଚ୍ଚ ବ୍ୟକ୍ତି ନବୀନ ବାବୁଙ୍କ ପର୍ଯ୍ୟନ୍ତ ଲମ୍ବିଛି । ଏନେଇ କଂଗ୍ରେସ ଖୁଲାସା କରିବା ପରେ ପ୍ରଦୀପ ମହାରଥୀ ନୈତିକତାର ଉତ୍ତର ଦାୟିତ୍ୱ ନେଇଛନ୍ତି । ପ୍ରଦୀପ ମହାରଥୀ କେବଳ ଷଡଯନ୍ତ୍ର ସହିତ ସଂଶ୍ଳିଷ୍ଟ ରହି ପିପିଲି ମାମଲାରେ ଦଫା ୧୨୦ ବା ୧୨୦ (ବି)ରେ ସିମୀତ ଥିଲେ । କାରଣ ସେ ସିଧାସଳଖ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଇ ଷଡଯନ୍ତ୍ରରେ ସାମିଲ ରହିଥିଲେ । କିନ୍ତୁ ସବୁଠୁ ଉଦ୍ଧ୍ୱର୍କୁ ଚାଲି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ।
୧୬ ଫେବୃଆରୀ ୨୦୧୨ । ପିପିଲି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନୋଟିଫିକେସନ ହେଲା । କେଉଁ ପରିସ୍ଥିତିରେ ଏ ଘଟଣା ଘଟିଲା ଓ ଏହା ପାଇଁ କେଉଁମାନେ ଦାୟୀ ତାହା ସାମ୍ନାକୁ ଆଣିବା ପାଇଁ ଏ ତଦନ୍ତ ହୋଇଥିଲା । ଏ ଘଟଣାରେ ପୁଲିସ କର୍ମଚାରୀମାନେ ନିଜ କର୍ତ୍ତବ୍ୟ କରି ନାହାଁନ୍ତି । ଯୁଧିଷ୍ଠିର ସ୍ୱାଇଁ ଓ ଧରଣୀଧର ସାହୁଙ୍କ ଭଳି ଦୁଇ ଜଣ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ବ୍ୟକ୍ତି ନିଜ ବୟାନ ବଦଳାଇଛନ୍ତି । ଏ ଦୁଇଜଣ ବ୍ୟକ୍ତି ସାଧାରଣ, ଗରୀବ, ଅପାଠୁଆ ବ୍ୟକ୍ତି ନୁହଁନ୍ତି । ଏମାନେ ଯଦି ପୁଲିସର ଧମକ ଚମକ ପାଇଁ ବୟାନ ବଦଳାଇଛନ୍ତି ତେବେ କାହିଁକି ପୁଲିସ ବିରୁଦ୍ଧରେ ମାଜିଷ୍ଟ୍ରେଟଙ୍କ ଆଗରେ କହିଲେ ନାହିଁ ବା ପରେ ପୁଲିସ ବିରୁଦ୍ଧରେ ଏଫଆଇଆର ରୁଜୁ କଲେ ନାହିଁ । ଅର୍ଥାତ ପୁଲିସକୁ ସହଯୋଗ କରି ତଦନ୍ତକୁ ବାଟବଣା କରିପାରିବା ଭଳି ସହଯୋଗୀମାନଙ୍କୁ ସାକ୍ଷୀ ଭାବେ ନେଇଛି ପୁଲିସ । ପୁଲିସର ଭୁମିକା ଏବେ ସନ୍ଦେହ ଘେରକୁ । ତେଣୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଙ୍ଗୁଳି ଉଠିବା ସ୍ୱାଭାବିକ କଥା ।