ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନ କାୟା ପାଇଁ ସାରା ଦେଶ ଏବେ ଲକ ଡାଉନରେ ରହିଛି । ତେବେ ଏହି ଲକ ଡାଉନ ଅବଧି ଆସନ୍ତା ୩ ତାରିଖରେ ଶେଷ ହେବାକୁ ଯାଉଛି । ତେବେ ୩ ତାରିଖ ପରେ ଏହି ଲକ ଡାଉନ ବଢିବ କି ନାଁ ତାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । ତେବେ ଦେଶରେ ଲକ ଡାଉନ ରହିଥିବାରୁ ମାସାଧିକ କାଳ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏହି ଲକ ଡାଉନ ପ୍ରଭାବରେ ଦେଶରେ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି ।
ତେଣୁ ଯଦି ଆଗାମୀ ଦିନରେ ଲକ ଡାଉନ ବୃଦ୍ଧି କରାନଯାଏ ତେବେ ହାଇକୋର୍ଟ ଓ ତଳ କୋର୍ଟରେ ଖରା ଛୁଟି ବାତିଲ ହେବ । ଏନେଇ ହାଇକୋର୍ଟ ରେଜିଷ୍ଟାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁସାରେ ହାଇକୋର୍ଟର ବାର ଆସୋସିଏସନ ସଭାପତି, ଉପସଭାପତି, ସମ୍ପାଦକ ଓ ଆଡ ଭୋକେଟ ଜେନେରାଲଙ୍କ ସହିତ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଯେହେତୁ ଲକ ଡାଉନରେ ନ୍ୟାୟିକ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ଗ୍ରୀଷ୍ମ ଅବକାଶରେ କୋର୍ଟ କାର୍ଯ୍ୟ ଚାଲୁ ରହିବ । ସେହିଭଳି ଯଦି ୩ ତାରିଖ ପରେ ଲକ ଡାଉନ ନ ଉଠେ ଭିଡିଓ କନଫରେନ୍ସି ଜରିଆରେ ଶୁଣାଣୀ କରାଯିବ ବୋଲି ସୂଚନା ମିଳିଛି ।