ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ କରାଯାଇ ଜୁଲାଇ ଶେଷ ସୁଦ୍ଧ ଖାତା ଦେଖା ସରିବ । ଏନେଇ ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ । ତେବେ ଏହାରି ଭିତରେ ଓଷ୍ଟା ପକ୍ଷରୁ ମାଟ୍ରିକ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢାଇବା ଓ ଖାତା ଦେଖା ପାଇଁ ନିୟୋଜିତ ଶିକ୍ଷକଙ୍କ ବୀମା ବଢାଇବାକୁ ଦାବି କରାଯାଇଛି । ଏହା ସହ ଜଣେ ଶିକ୍ଷକ ସମ୍ପୂର୍ଣ୍ଣ ଖାତା ଦେଖିବା ଓ ଶିକ୍ଷକଙ୍କୁ ଘରୁ ଖାତା ଦେଖିବା ପାଇଁ ଅନୁମତି ଦେବାକୁ ଦାବି କରାଯାଇଛି । ଦାବି ପୂରଣ ନ ହେଲେ ଖାତା ଦେଖା ପାଇଁ ନିୟୋଜିତ ଶିକ୍ଷକ ମାନେ ଅସହଯୋଗ କରିବେ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି ।
ତେବେ ଖାତା ଦେଖା ସମୟରେ କେନ୍ଦ୍ର ମାନଙ୍କରେ ଶିକ୍ଷକ ମାନେ କୋଭିଡ ନିୟମ ମାନିବା ପାଇଁ ମନ୍ତ୍ରୀ ସମୀର ଦାସଙ୍କ ପକ୍ଷରୁ କୁହାଯାଇଥିଲା । ସୂଚନାଯୋଗ୍ୟ ଚଳିତ ବର୍ଷ ସଢେ ୫ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ତେବେ ମାଟ୍ରିକ ଖାତା ଦେଖା ପାଇଁ ୬୦ଟି ସେଣ୍ଟର କରାଯାଇଛି । ପୂର୍ବରୁ ଫେବୃଆରୀ ମାସରେ ଗୋଟାଏ ଦିନ ଖାତା ଦେଖା ହୋଇଛି । ଏହା ପରେ ଲକ୍ ଡାଉନ୍ ପାଇଁ ଖାତା ଦେଖା ବନ୍ଦ ହୋଇରହିଛି ।