କଟକ(ଏଟିଆର ବ୍ୟୁରୋ): ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ)ବନ୍ଦ ହେବାକୁ ଯାଉଛି । ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ଓଏସଟିଏଫ କୁ ମିଶାଇ ଦେବାକୁ ଯୋଜନା କରୁଛନ୍ତି । ଏସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କୁମାର ସାହୁ ଏହି ବାବଦରେ ମେଡିକାଲ ସହିତ ଜଡିତ ଥିବା ସମସ୍ତ ମେଡିସିନି ଷ୍ଟୋର ମାଲିକ ମାନଙ୍କୁ ଗତ ୨ ତାରିଖ ଦିନ ଏକ ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି ଯେ, ମେଡିକାଲ ଉପରେ ମେଡିସିନି ଦେକାନ ମାନଙ୍କର ଯେତେ ବାକି ପଡିଛି ତାର ଏକ ତାଲିକା ପ୍ରସ୍ତୁତ କରି ମେଡିକାଲର ସମସ୍ତ ବିଭାଗର ମୁଖ୍ୟମାନଙ୍କ ଠାରୁ ଦସ୍ତଖତ କରି ଜାନୁଆରୀ ୧୫ ସୁଦ୍ଧା ଦସ୍ତଖତ ଦାଖଲ କରାଇବା ପାଇଁ । ଜାନୁଆରୀ ୧୫ ସୁଦ୍ଧା ବିଲ୍ ଦାଖଲ କଲେ ସରକାର ସେମାନଙ୍କର ବକେୟା ପୈଠ କରାଯିବ । ଏହା ପରେ ଫେବୃୟାରୀ ଆଧାରୁ ଓଏସଟିଏଫକୁ ବନ୍ଦ କରାଯିବ । ଏହି ନିଷ୍ପତି ଉପରେ ଏବେ ତର୍ଜମା ଆରମ୍ଭ କରାଯାଇଛି । ବହୁ ବରିଷ୍ଠ ଡାକ୍ତର ମାନଙ୍କ କହିବା ଅନୁସାରେ ଯଦି ଏହି ଯୋଜନା ବନ୍ଦ ହୋଇଯାଏ ତେବେ ବହୁ ଗରିବ ଲୋକ ଚିକିତ୍ସା ସେବାରୁ ବଞ୍ଚିତ ହେବେ । ସୂଚନା ଯୋଗ୍ୟ ଥାଉ କି ୨୦୧୧ ମସିହାରେ ରାଜ୍ୟ ସରକାର ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ଆରମ୍ଭ କରିଥିଲେ ।
ଏହି ଯୋଜନାରେ ରାଜ୍ୟର ୩ଟି ମେଡିକାଲ କଲେଜ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଏହା ସହ ୧୪ ଟି ଘରୋଇ ହସ୍ପିଟାଲ ଓ ରାଜ୍ୟ ବାହାରେ ଥିବା ୬ଟି ଘରୋଇ ହସ୍ପିଟାଲ ସହ ଏହି ଯୋଜନା ସହ ସରକାର ଚୁକ୍ତି କରିଛନ୍ତି । କ୍ୟାନସର, କିଡନୀ, ଲିଭର, ହୃଦରୋଗୀମାନେ ଏହି ଯୋଜନାରେ ମାଗଣା ଚିକିତ୍ସା ପାଇପାରୁଥିଲେ । ତେବେ ବର୍ତ୍ତମାନ ସରକାର ଓଏସଟିଏଫକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହିତ ମିଶେଇବାକୁ ଚାହୁଁଛନ୍ତି । ମୁଖ୍ୟତଃ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀ ମାନେ ନିରାମୟ କେନ୍ଦ୍ରରୁ ଔଷଧ ଆଣିବାକୁ ଥିବା ବେଳେ ସହାୟ ମାଧ୍ୟମରେ ଡାଏଲିସିସ୍ ଓ ନିଦାନ ମାଧ୍ୟମରେ ପରୀକ୍ଷା ନିରିକ୍ଷା କରାଉଛନ୍ତି । ଓଏସଟିଏଫ ବନ୍ଦ ହେବା ଦ୍ୱାରା ରୋଗୀମାନଙ୍କୁ ଔଷଧ ଯୋଗାଣରେ କୌଣସି ଅସୁବିଧା ଉପୁଜିବ ନାହିଁ । ପୂର୍ବରୁ ରୋଗୀମାନେ ସିଧାସଳଖ ସରକାରୀ ସହବନ୍ଧିତ ଦୋକାନରୁ ଔଷଧ କିଣୁଥିଲେ । ହେଲେ ଏବେ ମେଡିକାଲ ପକ୍ଷରୁ ସେମାନଙ୍କୁ ଏହି ଔଷଧକୁ ଷ୍ଟୋର ଜରିଆରେ ଦିଆଯିବ ବୋଲି ହସ୍ପିଟାଲ ମ୍ୟାନେଜର ସୌମ୍ୟା ମାହାନ୍ତି କହିଛନ୍ତି ।