ଭୁବନେଶର,(ଏଟିଆର ବ୍ୟୁରୋ): କଥାରେ ଅଛି ଯଦି କାହାକୁ ଅଙ୍ଗୁଳି ଦେଖାଇବାର ସୁଯୋଗ ଦେଲ, ତେବେ ସେ ବାହାଗିଳିବାଟା ଥୟ । କଥାଟା ସହଜରେ ହଜମ ହେଉ ନଥିଲେ ମଧ୍ୟ ରାଜ୍ୟ ରାଜନୀତିର ପଶାପାଲିରେ ଏମିତି ଏକ ଘଟଣା ଏବେ ଦେଖିବାକୁ ମିଳିଛି । ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଟିଭି ଚ୍ୟାନେଲ୍ ‘ଓ ଟିଭି’ ଓ ୧୮ ବର୍ଷ ହେଲା ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ମଧ୍ୟରେ ଚାଲିଥିବା ଟକାରାଟକରି ମଧ୍ୟରେ ଏକଥାଟି ସାମ୍ନାକୁ ଆସିଛି ।
କଥା କ’ଣ କି ଆମେ ଓ ଟିଭି ଯେତେବେଳେ ଆରମ୍ଭ ହେଲା, ସେବେକା ସମୟକୁ ଚାଲିଯିବା । ଓଡ଼ିଶାରେ ଘରୋଇ ଚ୍ୟାନେଲ୍ କହିଲେ ସେତେବେଳେ ଇ ଟିଭିକୁ ବୁଝୁଥିଲା । ଯାହା ସେତେବେଳେ ବ୍ୟୁରୋ ମୁଖ୍ୟ ଥିଲେ ବର୍ତ୍ତମାନର ବିଜେଡି ମୁଖପାତ୍ର ସୁଲୋଚନା ଦାସ । ଏକଥା ଅଳ୍ପ ବହୁତେ ସମସ୍ତେ ଜାଣିଥିଲେ । ‘ଇ ଟିଭି ଓଡ଼ିଆ’କୁ ଓଡ଼ିଶା ମାର୍କେଟରେ ଟକର ଦେବା ପାଇଁ ବିଜେଡି ନେତା ତଥା ବର୍ତ୍ତମାନର ସାଂସଦ ବୈଜୟନ୍ତ ପଣ୍ଡା ଏକ ଚ୍ୟାନେଲ୍ ଖୋଲିଥିଲେ । ଯାହାର ନାଁ ଥିଲା ‘ଓ ଟିଭି ଚମତ୍କାର’ । ଏହା ଏକ କେବୁଲ ଚ୍ୟାନେଲ୍ ଭାବେ ପରିଚୟ ହାସଲ କରିଥିଲେ ହେଁ ଏହାକୁ ଲୋକେ ସେତେଟା ଦେଖୁ ନଥିଲେ । ହେଲେ ବୈଜୟନ୍ତ ବିଜେଡିର ସୁନା ପୁଅ ଥିବାରୁ ଓ ଟିଭି କେମିତି ଇ ଟିଭିକୁ ଅତିକ୍ରମ କରିବ, ସେଥିପାଇଁ ଦଳ ଓ କଳ ଉଭୟ ଲାଗି ପଡ଼ିଥିଲେ । ଅନେକ ସଂଘର୍ଷ କରିବା ପରେ ଓଟିଭି ସରକାରୀ ଛତ୍ରଚ୍ଛାୟା ତଳେ ବୃଦ୍ଧି ପାଇଲା । ଏହାପରେ କେବୁଲ ଚ୍ୟାନେଲରୁ ସର୍ବବୃହତ ମିଡିଆ ହାଉସରେ ପରିଣତ ହେଲା ।
ଓରଟେଲ୍ କମ୍ୟୁନିକେସନ୍ ଦ୍ୱାରା ଓ ଟିଭିକୁ ସ୍ୟାଟେଲାଇଟରେ ପ୍ରସାରଣ କରାଗଲା । ରାତି ରାତି ଲୋକଙ୍କ ପାଖରେ ଅତି ପ୍ରିୟ ହୋଇଗଲା ‘ଓ ଟିଭି’ । ‘ଓ ଟିଭି’କୁ ପାଥେୟ କରି ବିଜେଡି ମଧ୍ୟ ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ କଲା । ଧୀରେଧୀରେ ଓ ଟିଭି ବିଜେଡିର ମୁଖପାତ୍ର ଭାବେ କାର୍ଯ୍ୟ କଲା । ଆଉ ତା’ପରେ ‘ଇ ଟିଭି’ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଲା । ଏମିତି ବେଳ ଆସିଥିଲା ଯେ ଓ ଟିଭିର ଲୋକପ୍ରିୟତା ଆଗରେ ‘ଇ ଟିଭି’ ମୁଣ୍ଡ ନୁଆଁଇ ଚ୍ୟାନେଲକୁ ବନ୍ଦ କରି ଦେବାକୁ ବସିଥିଲା । ହେଲେ ଏମିତି କିଛି ଘଟିଲା ନାହିଁ । ତା’ ପରେ ‘ଓ ଟିଭି’ ବନିଗଲା ବେତାଜ୍ ବାଦଶାହା ।
ଏହି ବେତାଜ୍ ବାଦଶାହା ବନିବା ପଛରେ ରହିଥିଲା ବିଜେଡି ଦଳ ଓ କଳ । ଆମେ ନିଜେ ଦେଖିଛୁ, ବିଜେଡି କିମ୍ବା ସରକାର କୌଣସି ସାମ୍ବାଦିକ ସମ୍ମିଳନୀ କରନ୍ତି, ତା’ହେଲେ ‘ଓ ଟିଭି’ର ବୁମ୍ ଆସିଲା ପର୍ଯ୍ୟନ୍ତ ଅପେକ୍ଷା କରି ଥାଆନ୍ତି । ଏପରି କି ଦଳ ଓ କଳର ଲୋକମାନେ ଓ ଟିଭି ଆମର ଟିଭି ବୋଲି ମଧ୍ୟ କହିଥାଆନ୍ତି । ସେହି ଅଙ୍ଗୁଳି ଧରିବାର ସୁଯୋଗ ପାଇଥିବା ‘ଓ ଟିଭି’ ଆଜି ବିଜେଡିକୁ ନାକରେ ପାଣି ପିଆଇ ସାରିଲାଣି ।
‘ଓ ଟିଭି’ ପାଇଁ ଆଜି ବିଜେଡି ନେତାଙ୍କ ଆଖିରୁ ନିଦ ହଜି ଯାଇଛି । ‘ଓ ଟିଭି’କୁ ସମୂଳେ ଧ୍ୱଂସ କରିବାକୁ ଏବେ ସରକାରୀ ଦଳ ଓ କଳ ଲାଗି ପଡ଼ିଛନ୍ତି । ଏବେ ଯେହେତୁ ୬ଟି ଆଞ୍ଚଳିକ ଚ୍ୟାନେଲ୍ ସହ ‘ଓ ଟିଭି’ ଏକ ଶକ୍ତିଶାଳୀ ଟିଭି ଚ୍ୟାନେଲରେ ପରିଣତ ହୋଇ ସାରିଛି, ତେଣୁ ତାକୁ ଆହୁ କାହା ସାହାରା ଦରକାର ନାହିଁ । ତେଣୁ ବିଜେଡିକୁ ସେ ଟାର୍ଗେଟ କରିବା ଆରମ୍ଭ କରି ଦେଇଛି । ବିଜେଡି ଏବେ କହୁଛି ‘ଓ ଟିଭି’ ଖବର ପ୍ରସାରଣରେ ପକ୍ଷପାତିତା କରୁଛି, ତା’ହେଲେ ଆଗକୁ ବିଜେଡିକୁ ସୁହାଇଲା ଭଳି ଖବର ପ୍ରସାରଣ କରି କ’ଣ ଉକ୍ତ ଟିଭି ଚ୍ୟାନେଲ୍ ସାଧାରଣ ଦର୍ଶକଙ୍କୁ ଠକି ନଥିଲା କି? କିଛି ଲୋକ ପ୍ରଶ୍ନ ଉଠାଇଛନ୍ତି ଯଦି ‘ଓ ଟିଭି’ ଏବେ ନିରପେକ୍ଷତା ଅବଲମ୍ବନ କରୁଛି, ତା’ହେଲେ ପୂର୍ବରୁ ସରକାରଙ୍କ ପକ୍ଷ ନେଇ ସାଧାରଣ ଜନତାଙ୍କୁ ଧୋକ୍କା ଦେଇଥିବାରୁ ଏବେ ଉକ୍ତ ଚ୍ୟାନେଲ୍ କ୍ଷମା ମାଗିବା ଦରକାର ।
ସେହିପରି ବିଜେଡି ମଧ୍ୟ ଓଡ଼ିଶାର ପ୍ରଥମ ସ୍ୟାଟେଲାଇଟ୍ ଚ୍ୟାନେଲ୍ ‘ଇ ଟିଭି ଓଡ଼ିଆ’କୁ ବଳି ପକାଇ ‘ଓ ଟିଭି’କୁ ଶୂନରୁ ଶୀର୍ଷକୁ ପହଞ୍ଚାଇବାର ଯେଉଁ ହୀନ ଉଦ୍ୟମ କରିଥିଲା, ସେଥିପାଇଁ ସେ ମଧ୍ୟ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ଉଚିତ୍ ।
ଅନ୍ୟପକ୍ଷରେ ବିଜେଡି ଯେଉଁଭଳି ଭାବେ ଗଣାମଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛି, ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏହା ପୂର୍ବରୁ ବିଜେପି ମଧ୍ୟ ଜାତୀୟସ୍ତରରେ ‘ଏନଡି ଟିଭି’କୁ ଧ୍ୱଂସ କରିବାକୁ ଚେଷ୍ଟା କରିଥିଲା ହେଲେ କିଛି ବି କରି ପାରି ନଥିଲା । କେବଳ ଔଷଧ ବିକଳରେ ତାଟିଆ କାମୁଡ଼ିବା ଛଡ଼ା ବିଜେପି ଆଉ କିଛି କରିପାରି ନାହିଁ । ତେଣୁ ବିଜେଡି ବିଜେପିଠାରୁ କିଛି ଶିଖିବା ଦରକାର । ନ ହେଲେ ଓଡ଼ିଶାରେ ବିଜେଡି ଶାସନର ଦୁର୍ଗ ଭୁଶୁଡ଼ିବାକୁ ଆଉ ବେଶୀ ସମୟ ଲାଗିବ ନାହିଁ । ଏବେ ଓଡ଼ିଶାର ଦୁଇଟି ଓଡ଼ିଆ ଚ୍ୟାନେଲ୍ କନକ ନ୍ୟୁଜ୍ ଓ କଳିଙ୍ଗ ଟିଭିର ମାଲିକଙ୍କୁ ବିଜେଡି ରାଜ୍ୟସଭା ଟିକେଟରେ ଥୋପ ଦେଇ ଦଳରେ ମିଶାଇଛି । ସେମାନେ ଯେ ଏବେ ନିରପେକ୍ଷତା ଅବଲମ୍ବନ କରିବେ, ସେକଥା କିଏ କହିବ? ଏହାର ବିଚାର କେବଳ ସାଧାରଣ ଦର୍ଶକ ହିଁ କରିପାରିବେ ।