ଭୁବନେଶ୍ୱର,(ଏଟିଆରବ୍ୟୁରୋ): ପୁଣି ଓଭରବ୍ରିଜ୍କୁ ନେଇ ଲୋକେ ଭୟଭିତ । ରାଜଧାନୀର ହାଇଟେକ୍ ଛକ ନିକଟରେ ଥିବା କଟକ-ପୁରୀ ବାଇପାସ ଫ୍ଲାଏ ଓଭରବ୍ରିଜ୍ ଅଚାନକ୍ ଦବି ଯାଇଛି । ଯଦିଓ ଏଥିରେ କୌଣସି ବଡ଼ ଧରଣର ଅଘଟଣ ଘଟିନାହିଁ ତଥାପି ଘଟଣା ସାମ୍ନାକୁ ଆସିବା ପରେ ଦେଖାଦେଇଛି ଅସନ୍ତୋଷ । ନିମ୍ନମାନର କାମକୁ ଦାୟୀ କରି ଲୋକେ ହଙ୍ଗାମା କରିଛନ୍ତି । ରବିବାର ମଧ୍ୟାହ୍ଣରେ ଅଚାନକ୍ ୬ ଇଂଚ ବ୍ରିଜ୍ଟି ଦବି ଯାଇଥିଲା । ଯାହାକୁ ନେଇ ଆତଙ୍କିତ ହୋଇପଡିଥିଲେ ଯାତାୟତ କରୁଥିବା ହଜାର ହଜାର ଲୋକ । କାରଣ ପୂର୍ବରୁ ଓଭରବ୍ରିଜ୍ ଜନିତ ଦୁର୍ଘଟଣା ରାଜଧାନୀବାସୀଙ୍କ ଛାତି ଥରାଇ ଦେଇଛି ।
ରେକର୍ଡ କହୁଛି ଦୁଇ ଦୁଇଥର ଓଭରବ୍ରିଜ୍ ଭୁଷୁଡିବା ଘଟଣାରେ ଅକାଳରେ ୨ଜଣଙ୍କ ଜୀବନ ଯାଇଛି । କେବଳ ଏତିକି ନୁହେଁ ରସୁଲଗଡ଼ ଫ୍ଲାଏଓଭରବ୍ରିଜର କଂକ୍ରିଟ ଖସି ଲୋକେ ଆହତ ହେବା ଘଟଣା ମନରୁ ଲିଭିନଥିବା ବେଳେ ପୁଣି ହାଇଟେକ୍ ଛକର ଘଟଣା ଏବେ ଲୋକଙ୍କୁ ଅଧିକ ଭୟଭିତ କରି ପକାଇଛି । ଓଭରବ୍ରିଜ୍ ଉପର କଥା ଛାଡ ତଳେ ଚାଲିକି ଯିବାକୁ ବି ଏବେ ଲୋକେ ଆଦୌ ସୁରକ୍ଷିତ ମଣୁନାହାନ୍ତି । କଂଟ୍ରାକ୍ଟରଙ୍କ ଲାଭଖୋର ମନୋଭାବ ଓ ନିମ୍ନମାନର କାମ ଯୋଗୁ ଅଯଥାରେ ନିରୀହ ଲୋକଙ୍କ ଜୀବନ ବାଜି ଲାଗୁଥିବା ଅଭିଯୋଗ ଉଠିଛି । ସେପଟେ ହାଇଟେକ ଛକର ଓଭରବ୍ରିଜ୍ ଦବିବା ଘଟଣାକୁ ନେଇ ରବିବାର ସନ୍ଧ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ । ଫଳରେ ଯାତାୟତ ପାଖାପାଖି ଅଧଘଂଟା କାଳ ଠପ ହୋଇଯାଇଥିଲା ।
ପରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ତେବେ ଏହି ଘଟଣା ପରେ ଏନଏଚଆଇ କର୍ତ୍ତୃପକ୍ଷଙ୍କ ସମେତ ଓଡ୍ରାଫ ଟିମ୍ ଓ ପୁଲିସର କେତେକ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ଦବି ଯାଇଥିବା ସ୍ଥାନକୁ ବାଲି ବସ୍ତା ଓ ସାମାନ୍ୟ ପିଚୁ ପକାଇ ପ୍ୟାଚ୍ ମରାଯାଇଛି । ପୁଲିସ ବି ଦବି ଯାଇଥିବା ସ୍ଥାନର ଆଖ ପାଖରେ କର୍ଡନ ଲଗାଇଛି । ତେବେ ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ…ବର୍ଷକ ତଳେ କରାଯାଇଥିବା ଏହି ବ୍ରିଜ୍ ଦବିିଲା କେମିତି? ନିମ୍ନ ମାନର କାମ ଏହାର ମୁଖ୍ୟ କାରଣ ନୁହେଁ ତ? ଯଦି ଏହି ବ୍ରିଜ୍ ଯୋଗୁଁ କିଛି ବଡ଼ ଅଘଟଣ ଘଟିଥାନ୍ତା ତେବେ ସେଥିପାଇଁ କିଏ ଦାୟୀ ହୋଇଥାନ୍ତା? ଏମିତି ଅନେକ ପ୍ରଶ୍ନ ମନରେ ଆସୁଥିବା ବେଳେ ସେପଟେ ଏନଏଚଏଆଇ ପିଡି ଦେବୀ ପ୍ରସାଦ ସାହୁ କହିଛନ୍ତି ଯେ, ଆପ୍ରୋଚ ରୋଡ ଦବିଛି । ଏହା କିଛି ବଡ଼କଥା ନୁହେଁ । ଫ୍ଲାଏଓଭର ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଏସଜେଇପିଏଲ ପକ୍ଷରୁ ଖୁବ ଶୀଘ୍ର ଏହାର ମରାପତି କରାଯିବ । ସୂଚନାଯୋଗ୍ୟ, ୨୦୧୮ ଅଗଷ୍ଟ ୧୩ରେ ଏହି ବ୍ରିିଜ୍ କାର୍ଯ୍ୟକ୍ଷମ ହୋଇଥିଲା । ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ୱେଜ୍ ସଂସ୍ଥା ଏହାର ଦାୟିତ୍ୱ ନେଇଥିଲା ।
ବିଦ୍ର: ପଳାଶପଲ୍ଲୀ ଓଭରବ୍ରିଜ୍ ମଧ୍ୟ ଦବି ଯାଇଥିବା ଅଭିଯୋଗ ଉଠିଛି । ଏହାର ଉପରେ ବିଭାଗୀୟ ଅଧିକାରୀ ନଜର ଦେବାକୁ ଲୋକେ ଅନୁରୋଧ କରିଛନ୍ତି ।