ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ପୁରି ଶ୍ରୀମନ୍ଦିର ଭଳି ଏକାମ୍ର କ୍ଷେତ୍ରରେ ଥିବା ଲିଙ୍ଗରାଜ ମନ୍ଦିରର ଉନ୍ନତି କରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଏନେଇ ଗତ କିଛି ଦିନ ହେବ ଲିଙ୍ଗରାଜ ମନ୍ଦିର ଚାରିପଟେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହି ଉଚ୍ଛେଦ ପ୍ରକ୍ରିୟାକୁ ବହୁ ସ୍ଥାନୀୟ ଲୋକ ମାନେ ବିରୋଧ ମଧ୍ୟ କରିଥିବାର ଦେଖିବାକୁ ମିଳିଛି । ତେବେ ଗତ କାଲି ରାଜ୍ୟ ସରକାର ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । ସହାୟତା ଓ ଥଇଥାନ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି ।
ବିସ୍ଥାପିତ ହେବାକୁ ଥିବା ପରିବାରଙ୍କୁ ୧ ଲକ୍ଷ ଟଙ୍କାର ପ୍ରଦାନ କରାଯିବ । ସେହିଭଳି ବାସଗୃହ ହରାଉଥିବା ଲୋକ ମାନଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ମିଳିବ । ୨୦୦ ବର୍ଗ ମିଟର ଦୋକାନ ପାଇଁ ଦୋକାନ ମିଳିବା ଯାଏ ମାସିକ ୧୫ ହଜାର ଓ ଦୁଇ ଶହ ବର୍ଗ ମିଟରରୁ ଅଧିକ ଥିବା ଦୋକାନକୁ ୨୦ ହଜାର ଟଙ୍କା ମାସିକ ମିଳିବ । ସେହିପରି ଦୋକାନ ହରାଉଥିବା ଲୋକ ମାନଙ୍କୁ ୫୦% ରିହାତିରେ ଦୋକାନ ଘର ଯୋଗାଇ ଦିଆଯିବ । ତାଲିକାଭୁକ୍ତ ଉଠାଦୋକାନୀଙ୍କୁ ଏକକାଳୀନ ୩୦ ହଜାର ଟଙ୍କା ମିଳିବ । ଅଧିଗୃହିତ ଜମି ଲିଙ୍ଗରାଜଙ୍କ ନାମରେ ରେକର୍ଡ କରାଯିବ । ଅଧିଗୃହିତ ଜମି ପାଇଁ ବଜାର ଦର ମୂଲ୍ୟରେ କ୍ଷତିପୂରଣ ମିଳିବ। ଯଦି କେହି ଜମି ବଦଳରେ ଜମି ଚାହିଁବେ ତେବେ ଅନ୍ୟତ୍ର ଜମି ଯୋଗାଇ ଦିଆଯିବା ନେଇ ଘୋଷଣା ହୋଇଛି।