ଭୁବନେଶ୍ୱର,(ଏଟିଆରବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବୁଦ୍ଧିଜୀବୀ ପଞ୍ଚାନନ କାନୁନଗୋ କଂଗ୍ରେସ ଦଳରେ ଯୋଗଦେବା ପରେ ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ “ମୁଁ କାହିଁକି କଂଗ୍ରେସ ଦଳରେ ଯୋଗଦେଲି” ବିଷୟରେ ସେ ଆଲୋକପାତ କରିଛନ୍ତି । ତାଙ୍କ କହିବାନୁସାରେ, ଭାରତବର୍ଷରେ କଂଗ୍ରେସ ଦଳ ଏକମାତ୍ର ଦଳ ଯାହା ଜନସାଧାରଣଙ୍କ ଦଳ ।
ମୁଁ ଛାତ୍ର ଜୀବନରୁ ମହାତ୍ମା ଗାନ୍ଧୀ ଓ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଦର୍ଶରେ ନିଜକୁ ପ୍ରତିଷ୍ଠା କରିଛି । ପୂର୍ବ ଦିନମାନଙ୍କରେ ଏକଦା ମୁଁ ଛାତ୍ର କଂଗ୍ରେସର ପ୍ରତିଷ୍ଠାତା ସଦସ୍ୟ ଥିଲି । ମୋ ପାଇଁ କଂଗ୍ରେସ ଦଳ ନୂଆ ନୁହେଁ । ବର୍ତମାନ ଭାରତବର୍ଷର ରାଜନୀତିରେ ଗଣତନ୍ତ୍ରକୁ ଯେଭଳି ଭାବରେ ହତ୍ୟା କରିବା ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ର ଚାଲିଛି, କଂଗ୍ରେସ ଦଳ ହିଁ ତା’ର କେବଳ ମୁକାବିଲା କରିପାରିବ । କଂଗ୍ରେସ ଦଳ ଭାରତବର୍ଷର ଅଗଣିତ ଛାତ୍ର ଓ ଯୁବକଙ୍କର ଭବିଷ୍ୟତ କଥା ଚିନ୍ତା କରିଥାଏ । ଏଥର ଭାରତବର୍ଷର ଗଣତନ୍ତ୍ରକୁ ସୁରକ୍ଷା କରିବା ଦାୟିତ୍ୱ କଂଗ୍ରେସ ଦଳର ମୁଖ୍ୟ କାର୍ଯ୍ୟ । ତଳେ ପଡିଥିବା ମଣିଷର ଉତ୍୍ଥାନ ପାଇଁ କଂଗ୍ରେସ ଦଳ ସ୍ୱାଧିନତା ପରବର୍ତୀ ସମୟରୁ ତା’ର କାର୍ଯ୍ୟକ୍ରମ ଜାରି ରଖିଛି ।
ଗୁଣ୍ଡୁଚି ମୂଷା ଭଳି ସେତୁବନ୍ଧରେ ମାଟି ପକାଇବା କାର୍ଯ୍ୟ କରିବା ପାଇଁ ନିଷ୍ପତି ନେଇ ମୁଁ କଂଗ୍ରେସ ଦଳରେ ଯୋଗ ଦେଇଛି । ଜୀବନକାଳ ଭିତରେ ଗୋଟିଏ ରୋବର୍ଟ ନେତୃତ୍ୱ ପାଖରେ କାର୍ଯ୍ୟ କରିବା ଓ ମଣିଷକୁ ଭଲ ପାଉଥିବା ଜଣେ ମଣିଷ ପାଖରେ କାର୍ଯ୍ୟ କରିବାର ଅଭିଜ୍ଞତାକୁ ମୁଁ ପାଥେୟ କରି କାର୍ଯ୍ୟ କରିବେ ବୋଲି ସେ କହିଥିଲେ ।ଗତକାଲିର କେନ୍ଦ୍ରୀୟ ଅନ୍ତରୀଣ ବଜେଟ୍ ଉପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ କାନୁନ୍ଗୋ କହିଲେ ଯେ ଏହା ଏକ ନିର୍ବାଚନୀ ବଜେଟ୍, ଏହା ପୂର୍ଣ୍ଣାଙ୍ଗ ବଜେଟ୍ ନୁହେଁ । ନିର୍ବାଚନ ଆଗକୁ ଥିବା ବେଳେ ଭାରତବର୍ଷର ଜନଗଣଙ୍କୁ ଲଲିପପ୍ ଦେଖାଇବା ପାଇଁ ଏହା ଅଭିପ୍ରେତ । ଆୟକର ସୀମା ୫ ଲକ୍ଷ ବୃଦ୍ଧି କରି ମଧ୍ୟବିତଙ୍କୁ ଖୁସି କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଚେଷ୍ଟା କରିଛନ୍ତି ପରୋକ୍ଷରେ ଏହା ମଧ୍ୟ ଏକ ଜୁମ୍ଲା ।
ଯୁବକମାନଙ୍କୁ ବର୍ଷକୁ ଦୁଇ କୋଟି ନିଯୁକ୍ତି ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଗଲା । ବଜେଟ୍ରେ ମୋଦି ସରକାର ଯୁବକମାନଙ୍କୁ ସଂପୂର୍ଣ୍ଣ ଭୁଲିଗଲେ । କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କ କୃଷିଋଣ ଛାଡ ଘୋଷଣା ଡରରେ କୃଷକମାନଙ୍କ ପାଇଁ ଯାହା କରିଛନ୍ତି ଆଗାମୀ ଦିନରେ ଏହାର ତର୍ଜମା କରାଯିବ । ୪ ବର୍ଷ ମଧ୍ୟରେ କୃଷି ଓ କୃଷକକୁ ଭୁଲି ଯାଇଥିବା ସରକାର ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଏଭଳି ଏକ ବଜେଟ୍ ଉପସ୍ଥାପନ କରି ବାହାବା ନେବାକୁ ଯେଉଁ ଚେଷ୍ଟା କରିଛନ୍ତି ତାହା ତାଙ୍କ ପାଇଁ ଆଗାମୀ ଦିନରେ କାଳ ହେବ ବୋଲି ସେ କହିଥିଲେ ।
ନବୀନ ସରକାରଙ୍କ କାଳିଆ ଯୋଜନାର ନିର୍ଦ୍ଦିଷ୍ଟ ଭାବରେ କୌଣସି ନୀତି ନିୟମ ନାହିଁ । ଭାଗଚାଷୀ କିଏ, କୃଷି ଶ୍ରମିକ କିଏ, ନାମମାତ୍ର ଚାଷୀ କିଏ ସରକାରଙ୍କ ପାଖରେ ରେକର୍ଡ ନଥିବା ବେଳେ ଧୁଆ ମୂଳା ଅଧୁଆ ମୂଳା ସବୁକୁ ସମାନ କରି ସରକାର ଓଡିଶାର ଜନଗଣଙ୍କ ଟିକସକୁ ଯେଭଳି ଭାବରେ ଶାଗମାଛ ପରି ବାଂଟିବାକୁ ଲାଗିଛନ୍ତି ଆଗାମୀ ଦିନରେ ପ୍ରକୃତ ଚାଷୀମାନେ ତା’ର ଜବାବ ଦେବେ । ୧୮ ବର୍ଷ ଭିତରେ କୃଷି ଓ କୃଷକକୁ ଭୁଲି ଯାଇଥିବା ସରକାର କାଳିଆ-ବଳିଆରେ ଲୋକଙ୍କୁ ଭୁଲାଇପାରିବେ ନାହିଁ । ଓଡିଶାର ଚାଷୀକୂଳ ଭୁବନେଶ୍ୱରରେ ପୋଲିସ ମାଡକୁ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି । ଆଗାମୀ ଦିନରେ ନବୀନବାବୁଙ୍କୁ ସେମାନେ ଜବାବ ଦେବେ । ବରିଷ୍ଠ କଂଗ୍ରେସ ନେତା ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କଂଗ୍ରେସ ଭବନ ଠାରେ ଶ୍ରୀ କାନୁନ୍ଗୋଙ୍କୁ ଉତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ।