ରାୟଗଡା ( ଏଟିଆର ବ୍ୟୁରୋ): ବିକାଶ ଓ ପ୍ରଗତିର ନାରା ଦେଉଥିବା ରାଜ୍ୟ ସରକାରଙ୍କ ଆଉ ଏକ ନମୁନା ଏବେ ସାମ୍ନାକୁ ଆସିଛି । ଗ୍ରାମକୁ ରାସ୍ତା ନଥିବାରୁ ପୁଣି କାନ୍ଧରେ ବୁହା ହେଲେ ରୋଗୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବରଜାଖାଲ ଗାଁରେ । ଗ୍ରାମକୁ ରାସ୍ତା ନଥିବାରୁ ଗାଁ ଭିତରକୁ ଯାଇ ପାରିଲା ନାହିଁ ଆମ୍ଭୁଲାନ୍ସ । ଯାହା ଫଳରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଲୋକମାନେ ବାଧ୍ୟ ହୋଇ ରୋଗୀଙ୍କୁ କାନ୍ଧରେ ଭାର କରି ଆଣିଛନ୍ତି । ସୂଚନା ଅନୁସାରେ ଏହି ଗାଁର ତିଲାକ ମାଝିଙ୍କୁ ଟାଇଫଏଡ ଜର ଲାଗି ରହିଥିଲା । ଗତକାଲି ଜର ଅଧିକ ହେବାରୁ ତିଲାକଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା ।
ପରିବାର ଲୋକେ ଏଥିପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗ୍ରାମକୁ ରାସ୍ତା ନଥିବାରୁ ଆମ୍ଭୁଲାନ୍ସ ଅଧା ବାଟରେ ଅଟକି ରହିଥିଲା । ବାଧ୍ୟ ହୋଇ ଗ୍ରାମବାସୀ ମାନେ ଭାର କରି ତାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଯାହାକୁ ନେଇ ଏବେ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି । ଗ୍ରାମର ଏହି ସମସ୍ୟା ଏବେକାର ନୁହଁ ।
ଦୀର୍ଘଦିନ ହେଲା ଗ୍ରାମକୁ ରାସ୍ତା କରିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାରଙ୍କର ଏଥିପ୍ରତି ଦୃଷ୍ଟି ପଡୁନି । ତେବେ ଏଠି ପ୍ରଶ୍ନ ଉଠୁଛି ଏମାନେ କଣ ଏ ଦେଶର ଲୋକ ନୁହଁନ୍ତି । ଏମାନଙ୍କର କଣ ମୌଳିକ ସୁବିଧା ସୁାଯୋଗ ପାଇବାର ଅଧିକାର ନାହିଁ । ଯଦି ହଁ ତେବେ ଦୀର୍ଘଦିନ ହେଲା ସେମାନେ ଗ୍ରାମକୁ ରାସ୍ତାଟିଏ ପାଇଁ ଦାବି କରି ଆସୁଥିଲେ ମଧ୍ୟ କାହିଁକି ଏଥିପ୍ରତି ଦୃଷ୍ଟି ଦିଆ ଯାଉନାହିଁ । ଆଶା କରିବୁ ଏହି ଖବର ପ୍ରଶାରଣ ପରେ ବିଭାଗର ଏହି ଗାଁ ଉପରେ ନଜର ପଡିବ ।