ମାଲକାନଗିରି (ଏଟିଆର ବ୍ୟୁରୋ); ପୁଣି ଥରେ ରୋଗୀଙ୍କୁ ଭାରରେ ବୋହିଥିବାର ଦୃଶ୍ୟ ନଜରକୁ ଆସିଛି । ୧କି.ମି ନୁହେଁ କି ୫ କି.ମି ନୁହେଁ ଭାରରେ ବୁହା ହୋଇଛନ୍ତି ୧୮ କି.ମି । ତେବେ ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଏହି ୧୮ ଘଣ୍ଟା ବାଟ ବୋହିବା ପାଇଁ ସମ୍ପର୍କୀୟଙ୍କୁ ଲାଗିଲା ୭ରୁ ୮ ଘଣ୍ଟା । ମିଳିଥିବା ସୂଚନା ମୁତାବକ ବଣ୍ଡାଘାଟିରେ ଅଣ୍ଟ୍ରାହାଲ ପଞ୍ଚାୟତର ଗୋଇଗୁଡା ଗ୍ରାମର ସୁକ୍ରି ନାମକ ଜଣେ ମହିଳା ରୋଗରେ ଆକ୍ରାନ୍ତ ଥିଲେ । ମାତ୍ର ପେଥାଇ ପ୍ରଭାବରେ ବର୍ଷା ହୋଇଥିବାରୁ ପରିବାର ଲୋକ ତାଙ୍କୁ ମେଡିକାଲ ନେଇ ପାରିନଥିଲେ । ସେପଟେ ବର୍ଷା କାରଣରୁ ନେଟୱର୍କ ନଥିବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ ହୋଇପାରିନଥିଲା ।
ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ମହିଳାଙ୍କୁ ସମ୍ପର୍କୀୟମାନେ ଏକ ବାଉଁଶ ସହାୟତାରେ ଭାର କରି ଗାଁ ପାଖରେ ଥିବା ମେଡିକାଲ ବୋହି ନେଇଥିଲେ । ଝିପ୍ ଝିପ୍ ବର୍ଷା ହେଉଥିଲେ ମଧ୍ୟ ୪କି.ମି ଭାରରେ ବୋହି ମୁଦୁଲିପଡା ମେଡିକାଲରେ ପହଁଞ୍ଚିଥିଲେ । ତେବେ ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ମଧ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ଆସିନଥିଲା । ପରେ ସେଠାରୁ ମଧ୍ୟ ଆମ୍ବୁଲାନ୍ସକୁ ମଧ୍ୟ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ । ନେଟୱକ ନଥିବାରୁ ଯୋଗାଯୋଗ ହୋଇ ପାରିନଥିଲା ।
ଶେଷରେ ସେଠାରୁ ପୁଣି ଥରେ ୧୪ କି.ମି ଦୂରରେ ଥିବା ଖଇରପୁଟ ମେଡିକାଲକୁ ବୋହି ନେଇଥିଲେ ସମ୍ପର୍କୀୟ । ତେବେ ସେଠାରେ ଚିକିତ୍ସିତ ହେଉଛନ୍ତି ଶୁକ୍ରି । ତେବେ ଏଠାରେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର କରିଥିବା ଆମ୍ବୁଲାନ୍ସ ଯୋଜନା କାହା ପାଇଁ ? ବାରମ୍ବାର ଖବର ପ୍ରସାରଣ ହେବା ପରେ ମଧ୍ୟ ନଜରକୁ ଆସୁଛି ରୋଗୀ ଭାରରେ ବୁହା ହେଉଥିବାର ଦୃଶ୍ୟ ।