ବରଗଡ ( ଏଟିଆର ବ୍ୟୁରୋ): ତାତିଲେ ଜନତା । ରୋଗୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଡାକ୍ତରଖାନାରେ । ଗତକାଲି ଜଣେ ରୋଗୀଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ସମେତ ସ୍ଥାନୀୟ ଲୋକେ ହୋ ହାଲ୍ଲା କରିଥିଲେ । ଏମିତି କି ଘଟଣାକୁ ନେଇ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଧସ୍ଥାଧସ୍ଥି ମଧ୍ୟ ହୋଇଥିଲା । ସୂଚନାଯୋଗ୍ୟ ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କର ମେଡିକାଲରେ ମୃତ୍ୟୁ ହୋଇଥିଲା ।
ଡାକ୍ତରଙ୍କ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ଯାହାକୁ ନେଇ ମୃତକଙ୍କ ପରିବାର ଲୋକଙ୍କ ସମେତ ସ୍ଥାନୀୟ କେତେକ ଲୋକ ମେଡିକାଲରେ କାଲି ରାତିରେ ପାଟି ତୁଣ୍ଡ କରିଥିଲେ । ପୋଲିସ ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ଶାନ୍ତ ହୋଇଥିଲେ । କାଲି ମୃତ୍ୟୁ ବରଣ କରିଥିଲା ରୋଗୀଙ୍କ ନାମ ଚୈତନ୍ୟ ବେହେରା ବୋଲି ଜଣା ପଡିଛି ।
ତେବେ କାଲିର ଘଟଣାକୁ ନେଇ ଆଜି ମୃତକଙ୍କ ପରିବାର ଲୋକେ ମେଡିକାଲ ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି । ଖାଲି ପରିବାର ଲୋକେ ନୁହଁନ୍ତି ସ୍ଥାନୀୟ କିଛି ଲୋକ ମଧ୍ୟ ଧାରଣାରେ ବସିଥିବା ଦେଖା ଦେଇଛି । ସେମାନେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତିି । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ଶବ ଗ୍ରହଣ କରିବେ ନାହିଁ ବୋଲି ଅଡି ବସିଛନ୍ତି ।