କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁପରେ କେନ୍ଦ୍ରାପଡା ପାଟକୁରା ବିଧାନସଭା ଆସନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯେହେତୁ ପାଟକୁରାରେ ବିଜେପିର ହେବି ୱେଟ ନେତା ବିଜୟ ମହାପାତ୍ରଙ୍କ ବିପକ୍ଷରେ ବେଦପ୍ରକାଶ ପ୍ରାର୍ଥୀ ହୋଇଥିଲେ । ତେଣୁ ତାଙ୍କ ମୃତ୍ୟୁ ପରେ ଆଲୋଚନା ଜୋର ଧରିଥିଲା । କେବେ ଏହି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ରହିଥିଲା । ତେବେ ରହିଥିବା ଏହି ସନ୍ଦେହରେ ଆଜି ପୂର୍ଣ୍ଣଛେଦ ପଡିଛି ।
ସ୍ଥଗିତ ଥିବା ନିର୍ବାଚନ ମେ ୧୯ ତାରିଖରେ ଅନୁଷ୍ଠିତ ହେବ ବୋଲି ଆଜି ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ଆସନ୍ତା ମେ ୧ ତାରିଖରେ ନାମାଙ୍କନ, ମେ ୨ ରେ ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ମେ ୪ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହର ଶେଷ ଦିନ ବୋଲି ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ ଗତ ଅପ୍ରେଲ ୨୦ ତାରିଖରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଥିଲା । ଆଗାମୀ ଚତୁର୍ଥ ପର୍ଯ୍ୟାୟ ବା ୨୯ ତାରିଖରେ ଉକ୍ତ ଆସନ ପାଇଁ ମତଦାନ ହେବାର ଥିଲା । ମାତ୍ର ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ ପରେ ୨୯ ତାରିଖରେ ନିର୍ବାଚନ ହେବ ନାହିଁ ବୋଲି ଘୋଷଣା ହୋଇଥିଲା ।
ତେବେ ଉକ୍ତ ଆସନ ପାଇଁ ଆସନ୍ତା ମେ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏଠାରେ କେବଳ ବିଜେଡି ବ୍ୟତୀତ ଅନ୍ୟ ଦଳର ପୂର୍ବରୁ ଦିଆଯାଇଥିବା ପ୍ରାର୍ଥୀପତ୍ର କାଏମ ରହିବ ବୋଲି ଉଲ୍ଲେଖ ରହିଛି । ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପାଟକୁରାରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ସେଠି ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଉଭୟ ବିରୋଧୀ ଓ ବିଜେଡି କର୍ମୀ ମାନେ ଆଗୁଆ ଅଙ୍କକଷା ଆରମ୍ଭ କରି ସାରିଲେଣି । ଅନ୍ୟପକ୍ଷେ ସେଠାରୁ କଂଗ୍ରେସରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି ।