ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଆବେଦନ କରାଯାଇଛି । ବର୍ତ୍ତମାନର ପରିସ୍ଥିତିରେ ରଥଯାତ୍ରା କରିବା ଉଚିତ ହେବ ନାହିଁ, ତେଣୁ ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଆବେଦନ କରାଯାଇଛି । ତେବେ ଏହା ପୂର୍ବରୁ ହାଇକୋର୍ଟରେ ଏହି ଆବେଦନକୁ ଖାରଜ କରି ଦିଆଯାଇଥିଲା । ରଥଯାତ୍ରା ହେବ କି ନାହିଁ ତାହା ଉପରେ ରାଜ୍ୟ ସରକାର ନିଷ୍ପତି ବେବେ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଥିଲା । ହାଇକୋର୍ଟଙ୍କ କହିବା ଅନୁସାରେ ରାଜ୍ୟ ସରକାର ରଥଯାତ୍ରା କରାଇବା ପାଇଁ ସମ୍ପୃର୍ଣ୍ଣ ଆୟୋଜନ କରିବେ । କିନ୍ତୁ ଏହା ଉପରେ ଆପତ୍ତି ଉଠାଇଛନ୍ତି ଆବେଦନକାରୀ ।
ଆବେଦନକାରୀ ସୁପ୍ରିମକୋର୍ଟରେ ଦେଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି ଯେ, ରଥଯାତ୍ରା ହେଲେ କରୋନା ମହାମାରୀ ବ୍ୟାପିବାର ସମ୍ଭବନା ରହିଛି । ଏହା ସହ ମହାପ୍ରଭୁଙ୍କ ପହଣ୍ଡି ବିଜେ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ମହାମାରୀକୁ ପାଇଁ ହୋଇଥିବା ଗାଇଡ ଲାଇନ ଭଙ୍ଗ ହେବ । ତେଣୁ ରଥଯାତ୍ରାକୁ ବନ୍ଦ କରାଯାଉ । ସୂଚନା ଯୋଗ୍ୟ ଚଳିତ ବର୍ଷ କରୋନା ମହାମାରୀ ବ୍ୟାପୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ହୋଇ ରହିଛି । ଏହା ସହ ରଥ ନିର୍ମାଣ କାମ ଡେରିରେ ଆରମ୍ଭ ହୋଇଛି । ସେହିପରି ମହାପ୍ରଭୁଙ୍କ ସ୍ନାନ ଯାତ୍ରାକୁ ଅଳ୍ପ ସେବାୟତଙ୍କୁ ନେଇ କରୋନା କଟକଣା ମାନି ପାଳନ କରାଯାଇଛି ।