ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଭିନ୍ନ ମଲ ଗୁଡିକରେ ଅନେକ ସମୟରେ ପାର୍କିଂ ବ୍ୟବସ୍ଥାକୁ ନେଇ ବହୁ ସମସ୍ୟା ଦେଖିବାକୁ ମିଳିଥାଏ । ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ପାର୍କିଂ ସମସ୍ୟା ଅଧିକ ଦେଖାଯାଇଥାଏ । ତେବେ ମହିଳା ମାନେ ମଲକୁ ଆସିବା ସମୟରେ ଯେପରି ଗାଡି ପାର୍କିଂକୁ ନେଇ ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଉତ୍କଳ କନିକା ଗ୍ୟାଲେରିଆ ପକ୍ଷରୁ ଏକ ସୁନ୍ଦର ସ୍ୱାଗତ ଯୋଗ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ।
ଉତ୍କଳ କନିକା ଗ୍ୟାଲେରିଆ ପକ୍ଷରୁ ମହିଳାମାନଙ୍କ ପାଇଁ ‘ପିଙ୍କ ପାର୍କିଂ’ ବ୍ୟବସ୍ଥା କରାଯାଇଛି । ସମାଜର ସବୁ କ୍ଷେତ୍ରରେ ଯେପରି ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉଛି ସେହିପରି ପାର୍କିଂ ବ୍ୟବସ୍ଥାରେ ମଧ୍ୟ ଅଗ୍ରାଧିକାର ଦେବା ପାଇଁ ମଲ କତ୍ତୃପକ୍ଷଙ୍କ ପକ୍ଷରୁ ଏପରି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ‘ପିଙ୍କ ପାର୍କିଂ’ରେ କେବଳ ମହିଳାମାନେ ସୁରକ୍ଷିତ ପାର୍କିଂ କରିପାରିବେ । ପିଙ୍କ ପାର୍କିଂ ଜୋନରେ କେବଳ ମହିଳାମାନେ ପାର୍କିଂ କରିବାର ବ୍ୟବସ୍ଥା ଥିବା ବେଳେ ପାର୍କିଂ ସ୍ଥଳରେ ଦର୍ପଣ ବି ଲଗାଯାଇଛି । ଏହି ପିଙ୍କ ପାର୍କିଂକୁ ଟ୍ରାଫିକ ଡିସିପି ସାଗରିକା ନାଥ ଉଦଘାଟନ କରିଛନ୍ତି ।