ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ଦେଶରେ କରୋନା ସଂକ୍ରମଣ ଯେଉଁଭଳି ଭାବେ ବଢିବାରେ ଲାଗିଛି ତାହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କେବେ ଏହି ମହାମାରୀ ପାଇଁ ଭ୍ୟାକସିନ ବାହାରିବ ତାକୁ ନେଇ ଏବେ ସମସ୍ତେ ଚିନ୍ତାରେ । ତେବେ ଏହି ଭିତରେ ଏବେ ଆଶାର ଆଲୋକ ସାଜିଛି ପ୍ଲାଜମା ଥେରାପି । ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ନିକଟକରେ ପ୍ଲାଜମା ଦାନ କରିବାକୁ ନିବେଦନ କରିଥିଲେ ।
ତେବେ ଓଡିଶାରେ ପ୍ରଥମ ଥର ସଫଳ ପ୍ଲାଜମା ଦାନ କରିଛନ୍ତି କଟକ ଚୌଦାର ପଙ୍କଜ କୁମାର ବେହେରା । ଗତ କିଛିଦିନ ତଳେ ପଙ୍କଜ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ଉତ୍ତମ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ । ତେବେ ପଙ୍କଜ ଏବେ ଓଡିଶାରେ ପ୍ରଥମ , ଯେ କି ପ୍ଲାଜମା ଦାନ କରିଛନ୍ତି । ତେବେ ପଙ୍କଜଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଏବେ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଶଂସା କରିଛନ୍ତି ।