ବାରିପଦା (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ଆସି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଦଘାଟନ କରିଛନ୍ତି । ଏହାରି ଭିତରେ ରହିଛି ନୂଆ ସଡକପଥ, ରେଳପଥ, ଏଲପିଜି ପାଇପ୍ ଲାଇନ୍, ନୂଆ ପାସେଂଜର ଟ୍ରେନ ଏବଂ ଏକ ଲଜିଷ୍ଟିକ୍ସ ପାର୍କ । ତିନିଟି ରାଜପଥ ପ୍ରକଳ୍ପର ଭୂମି ପୂଜା କରିଛନ୍ତି । ରେମୁଲି-କୋଇଡା, କୋଇଡା- ରାଜାମୁଣ୍ଡା ଓ ସିଙ୍ଗରା- ବିଂଜବାହାଳ ୪ ଲେନ୍ ବିଶିଷ୍ଟ ରାଜପଥର ଶିଳାନ୍ୟାସ କରିଛନ୍ତି ମୋଦି । ଏହି ରାଜପଥ ପାଇଁ ୩୩୧୮ କୋଟି ଟଙ୍କାର ପୁଂଜି ନିବେଶ ହୋଇଛି ।
ସେହିପରି ବାଲେଶ୍ୱର- ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ୍ ଲାଇନର୍ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପ ପାଇଁ ୧୦୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୨ଟି ରେଳ ଲାଇନ ମଧ୍ୟ ଲୋକାର୍ପିତ କରିଛନ୍ତି ମୋଦି । ବାଲେଶ୍ୱରଠାରେ ନିର୍ମିତ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହ ଭଦ୍ରକ, କଟକ, ଆସ୍କା, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝରଠାରେ ନୂଆ ପାସପୋର୍ଟ ସେବା କେନ୍ଦ୍ର ଖୋଲାଯାଇଛି ।
ଏହି ସରକାରୀ କାର୍ଯ୍ୟକ୍ରମ ସରିବା ପରେ ବାରିପଦା ଛଉ ପଡିଆଠାରେ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଦଳୀୟ କର୍ମୀଙ୍କ ସମେତ ବହୁ ତୁଙ୍ଗ ନେତାମାନେ ଉପସ୍ଥିତ ଥିଲେ । ତେବେ ପୂର୍ବରୁ କଳ୍ପନା ଜଳ୍ପନା ହେଉଥିଲା କି ନିର୍ବାଚନ ପାଖେଇ ଆସୁଥିବାରୁ ମୋଦି ନବୀନଙ୍କ ବିରୋଧରେ କିଛି ମନ୍ତବ୍ୟ ଦେବେ । କିନ୍ତୁ ସାଧାରଣ ସଭାରେ ଏଭଳି କୈାଣସି ଝଲକ ଦେଖିବାକୁ ମିଳିନଥିଲା ।