ପୁରୀ(ଏଟିଆର ବ୍ୟୁରୋ): ଆଜି ନିଆଳି ମାଧବଙ୍କ ପୀଠରୁ ପୋଢୁଆଁ ଯାତ୍ରା ବାହାରିଛି । ନିଆଳି ମାଧବଙ୍କ ପୀଠ ତଥା ଅରୁନ୍ଧତୀପୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାମୁଁଘର ଅଟେ । ଏହି ପୀଠରେ ମାର୍ଗଶିର ମାସ ଅଷ୍ଟମୀ ତିଥିରେ ପୋଢୁଆଁ ଅଷ୍ଟମୀ ପାଳିତ ହୁଏ । ତେଣୁ ଏଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୋଢୁଆଁ ଅଷ୍ଟମୀ ଭାର ଶ୍ରୀକ୍ଷେତ୍ରକୁ ନିଆଯାଇଛି । ବହୁ ଦିନ ଧରି ଏହି ପରମ୍ପରା ବନ୍ଦ ଥିଲା । ଏହି ଯାତ୍ରା ଶ୍ରୀକ୍ଷେତ୍ର ଆଭିମୁଖେ ବାହାରିଛି । ତେବେ ଆଜି ସକାଳେ ନିଆଳି ମାଧବଙ୍କ ସ୍ନାନ ମାର୍ଜନା ପରେ ରାଜା ରାଜେଶ୍ୱର ବେଶରେ ସଜାଯାଇ ମନ୍ଦିରରୁ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା ।
ବେଶ ଆଡମ୍ବର ସହ ଶ୍ରଦ୍ଧାଳୁ ମାନେ ଏହି ଶୋଭାଯାତ୍ରରେ ଯୋଗ ଦେଇ ପୋଢୁଆଁ ଭାର ନେଇ ବାହାରିଥିଲେ । ଶ୍ରଦ୍ଧାଳୁ ମାନେ ଭାର ନେଇ ପ୍ରଥମେ ଚନ୍ଦ୍ର ମଉଳି, ଚାରିଛକ, ବାଲିଘାଇ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ । ଏହା ପରେ ସେଠାରୁ ପୁଣି ଶୋଭାଯାତ୍ରା ଆରମ୍ଭ ହୋଇ ଶ୍ରୀମନ୍ଦିର ପହଞ୍ଚି ଥିଲା । ତେବେ ପୋଢୁଆଁ ଭାରରେ ନିଆଯାଇଥିବା ପୋଢୁଆଁ ବସ୍ତ୍ର ଓ ସାମଗ୍ରୀ ସିଂହଦ୍ୱାରର ସେବକ ମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା । ଏହା ପରେ ଭାରରେ ନିଆଯାଇଥିବା ନଡିଆ, ବିରି, ଚାଉଳ, ଗୁଡ, ଖିଅ ଓ ବିଭିନ୍ନ ପ୍ରକାରର ଫଳମୂଳକୁ ଶ୍ରୀମନ୍ଦିର ସେବକଙ୍କୁ ଦିଆଯାଇଥିଲା । ଏହି ଶୋଭାଯାତ୍ରରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳି ଯୋଗ ଦେଇ ସଂକୀର୍ତ୍ତନ ପରିବେଷଣ କରିଥିଲେ ।