ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସୁପ୍ରିମକୋର୍ଟରେ ବିବାଦୀୟ ପୋଲାଭରମ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ଗୋଦାବରୀ ନଦୀରେ ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାର ଶୁଣାଣି ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ କରିବେ । ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ବିଚାରପତି ଏନ ଭି ରମନ୍ନା, ବିଚାରପତି ସଞ୍ଜିବ ଖାନ୍ନା ଓ ବିଚାରପତି କୃଷ୍ଣା ମୁରାରୀଙ୍କ ଖଣ୍ଡପୀଠ କରିବେ । କୋର୍ଟ ପକ୍ଷରୁ ଚୂଡାନ୍ତ କରାଯାଇଛି ଯେ ଓଡିଶା, ଛତିଶଗଡ, ତେଲେଙ୍ଗାନା ଦ୍ୱାରା ଦାଖଲ କରାଯାଇଥିବା ମୂଳ ମାମଲା ସମେତ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଦାଖଲ କରାଯାଇଥିବା ପିଟିସନର ଏକତ୍ର ଶୁଣାଣି ହେବ ।
ଓଡିଶା କୋର୍ଟରେ ଆନ୍ଧ୍ର ସରକାରଙ୍କ ଏହି ବେଆଇନ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବାକୁ ଦାବି କରିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକଳ୍ପକୁ ମିଳିଥିବା ଅନୁମତିକୁ ମଧ୍ୟ ଓଡିଶା ଦୃଢ ବିରୋଧ କରିଆସୁଛି । ଓଡିଶା ପକ୍ଷରୁ କୁହାଯାଇଛି କି ଏହି ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ସଠିକ ଭାବେ ମିଳିନାହିଁ କି କ୍ଷତି ଗ୍ରସ୍ତ ଆଦିବାଦୀ ଅଞ୍ଚଳରେ ଜନ ଶୁଣାଣି କରାଯାଇନାହିଁ । ଅପରପକ୍ଷେ ପ୍ରକଳ୍ପର ଉଚ୍ଚତାଙ୍କୁ ମଧ୍ୟ ବୃଦ୍ଧି କରାଯାଇଛି । ଓଡିଶା କରି ଥିବା ସମସ୍ତ ଅଭିଯୋଗ ଉପରେ ଆନ୍ଧ୍ର ସରକାର ନିଜର ମତ ରଖିସାରିଛି ।
ଏହାଛଡା ଆନ୍ଧ୍ର ପ୍ରକଳ୍ପର କାର୍ଯ୍ୟକୁ ୨୦୨୧ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଥିବା ବେଳେ ମାମଲାର ଶୁଣାଣି ଉପରେ ସମସ୍ତଙ୍କର ନଜର ରହିବ । ପୂର୍ବଥର ଶୁଣାଣି ସମୟରେ ଆନ୍ଧ୍ରରେ ନୂତନ ସରକାର ଗଠନ ହୋଇଥିବାରୁ ସରକାର ପୂର୍ବ ଆଇନଜୀବିକୁ ବାହାର କରିଦେଇ ତାଙ୍କ ସ୍ଥାନରେ ନୂତନ ଆଇନଜୀବିଙ୍କୁ ନିଯୁକ୍ତ କରିଥିଲେ । ଯାହାଫଳରେ ନୂତନ ଆଇଜୀବି ମାମଲାକୁ ବୁଝିବା ନିମନ୍ତେ କୋର୍ଟ ପାଖରୁ କିଛି ସମୟ ନେଇଥିଲେ ।