ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ କରୋନା ପାଇଁ ସାରା ଦେଶରେ ଲକ ଡାଉନ ଜାରି ରହିଛି । ସୁରକ୍ଷିତ ଜୀବନ ପାଇଁ ଏବେ ସମସ୍ତେ ଘରେ ରହିଛନ୍ତି । ତେବେ ଏହି ଭିତରେ ଅନେକ ସମୟରେ ଦେଖା ଯାଉଛି ପୋଲିସ ରାସ୍ତାକୁ ବାହାରୁଥିବା ବିନା ପାସ ଧାରୀ ବା ଆଇନ ଉଲ୍ଲଘଂନ କରୁଥିବା ଲୋକଙ୍କର ଗାଡି ସିଜ କରୁଛି । ତେବେ ହାଇକାର୍ଟ ଏହାକୁ ନେଇ ଏକ ନିର୍ଦେଶ ଦେଇଛନ୍ତି । ଲକ ଡାଉନ ସମୟରେ ପୋଲିସ ଗାଡି ସିଜ କରି ପରିବ ନାହିଁ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।
କରୋନା ଲକ ଡାଉନ ସମୟରେ ସିଜ ହୋଇଥିବା ଗାଡି ଗୁଡିକ ତୁରନ୍ତ ଅଣ୍ଡରଟେକିଂ ଲେଖି ଫେରାଇ ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏନେଇ ହାଇକୋର୍ଟ କହିଛନ୍ତି ସବୁ ପାଦଚଲା ସ୍ଥାନରେ ଲୋକଙ୍କର ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳୁନାହିଁ । ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଲୋକଙ୍କର ପାଖରେ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବାର ବ୍ୟବସ୍ଥା ନକରାଯିବା ପର୍ଯ୍ୟନ୍ତ ପୋଲିସ ଲୋକଙ୍କୁ ହଇରାଣ ନକରୁ ବୋଲି କହିଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ କିଛି ଅମାନିଆତ ବିନା କାରଣରେ ରାସ୍ତାକୁ ଗାଡି ଧରି ଓହ୍ଲାଉଛନ୍ତି ତେବେ ଏହି ଭିତରେ କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସୁଥିବା ଲୋକ ମଧ୍ୟ ଅକଳରେ ପଡୁଛନ୍ତି ।
ଏନେଇ ହାଇକୋର୍ଟରେ ଆବେଦନ କରାଯିବା ପରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ଯେଉଁମାନେ ରାସ୍ତାକୁ ଗାଡି ନେଇ ଆସୁଛନ୍ତି ପୋଲିସ ସେମାନଙ୍କୁ ତାଗିଦ କରୁ ଏବଂ ତାଙ୍କୁ କିଛି ସମୟ ଅଟକାଇ ତାଙ୍କ ଠାରୁ ଅଣ୍ଡର ଟେକିଂ ରଖି ଛାଡି ଦେଉ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।