କୋରାପୁଟ (ଏଟିଆର ବ୍ୟୁରୋ): ଡିଜିପି ହେବା ପରେ ପ୍ରଥମଥର ପାଇଁ କୋରାପୁଟ ଗସ୍ତ କଲେ ପୋଲିସ ଡିଜିପି ଅଭୟ । ପୂର୍ବାଞ୍ଚଳରେ ମାଓ ଦମନ ସାଙ୍ଗକୁ ଆଇନ ଶୃଙ୍ଖଳା ନେଇ ଡିଜିପି ଏକ ବୈଠକ କରିଛନ୍ତି । ଏହି ବୈଠକରେ ନକ୍ସଲ ଓ ଅନ୍ୟ ସମସ୍ୟା ନେଇ ୬ଜଣ ଏସପିଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ବିଏସଏଫ ଓ ସିଆରପିଏଫ ଯବାନ ମଧ୍ୟ ଯୋଗ ଦେଇଥିଲେ । ଅନ୍ୟପଟେ ଆଇ ଜି ଅପରେସନ ଅମିତାଭ ଠାକୁର, ଗୋଇନ୍ଦା ବିଭାଗ ଆଇଜି ଆର. କେ ଶର୍ମା , ଏସଆଇଡବଲୁର ଡି. ଆଇ. ଜି ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି , ଏଡିଜି ଆଇନ ଶୃଙ୍ଖଳା ଡି ଏସ କୁଟ୍ଟେ ପ୍ରମୁଖ ବୈଠକରେ ସାମିଲ ହୋଇଛନ୍ତି ।
ଏହି ବୈଠକରେ ମାଓଦମନ ଅଭିଯାନକୁ କିପରି ଜୋରଦାର କରି ହେବ ଓ ଆଇନ ଶୃଙ୍ଖଳା ପ୍ରତି କେଉଁ ପ୍ରକାରର କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ହେବ ତାହା ଆଲୋଚନା ହେଉଛି । ରାଜ୍ୟରେ ମାଓବାଦୀମାନେ ନିଜର ସ୍ଥିତି ଜାହିର କରିବା ସହ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଇ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରୁଛନ୍ତି । ଏହିଭଳି ସମୟରେ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।