ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚାଷୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାହୁଁଛି ପୋଲିସ ପ୍ରଶାସନ । ସ୍ଥାନୀୟ ଲୋୟର ପିଏମଜିରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିବା ପାଇଁ ଆସୁଥିବା ବେଳେ ଅଧାବାଟରେ ପୋଲିସ ଅଟକାଇଛି । ଏବଂ ଚାଷୀଙ୍କୁ ଗିରଫ କରିଛି । ପୋଲିସ ଚାଷୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାହୁଁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ପ୍ରାଇସ,ପେନସନ ଏବଂ ପ୍ରେଷ୍ଟିଜ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ନବ ନିର୍ମାଣ କୃଷକ ସଂଘ । ତେବେ ଏହି ଆନ୍ଦୋଳନକୁ ଦୀର୍ଘଦିନ ହେବ ଚଳାଇ ଆସିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡୁନାହିଁ । ଏଣୁ ଅର୍ଥ ନୈତିକ ଅବରୋଧ କରିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଂଘ ମୁଖ୍ୟ ଅକ୍ଷୟ କୁମାର ସୂଚନା ଦେଇଥିଲେ ।
ତେବେ ଏହି ଆନ୍ଦୋଳନ ତିବ୍ର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା । ଏଣୁ ଏହାକୁ ଭଣ୍ଡୁର କରାଯାଇଛି ବୋଲି ଅଭିଯୋଗ ହୋଇଛି । ଭୁବନେଶ୍ୱରକୁ ପଶୁଥିବା ଚାଷୀମାନଙ୍କୁ ବିଭିନ୍ନ ଜାଗାରେ ଅଟକ ରଖିଛି ପୋଲିସ । ଷ୍ଟେସନ ପାଖରେ ହଜାର ହଜାର ଚାଷୀ ବସିଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରକୁ ପ୍ରଦେଶ ପଥରେ ମଧ୍ୟ ବହୁ ଚାଷୀ ଅଟକ ରହିଛନ୍ତି ଏବଂ ଭୁବନେଶ୍ୱର ମଧ୍ୟକୁ ପ୍ରବେଶ କରିବାକୁ ଦେଇ ନାହାଁନ୍ତି । ଗତ ବର୍ଷ ମଧ୍ୟ ଲୋୟର ପିଏମଜିରେ ଚାଷୀଙ୍କ ଆନ୍ଦୋଳନ ଭଣ୍ଡୁର କରାଯାଇଥିଲା । ଏଣୁ ବାରମ୍ବାର ଚାଷୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରାଯାଉଥିବାରୁ ଆଗାମୀ ଦିନରେ ଏହାର ପ୍ରଭାବ ପଡିବ ବୋଲି କୃଷକ ସଂଘ ସୂଚନା ଦେଇଛି । ଆମକୁ ଯେପରି ସରକାର ଆନ୍ଦୋଳନ କରିବା ପାଇଁ ସୁଯୋଗ ଦେଉ ନାହାଁନ୍ତି ଆମେ ସେପରି ଆଗାମି ଦିନରେ ରାଜନୈତିକ ନେତା ମାନଙ୍କୁ ଗାଁରେ ସଭା କରିବାକୁ ଦେବୁ ନାହିଁ ବୋଲି କଡା ଭାଷାରେ କହିଛନ୍ତି ।
ନିକଟରେ ତିନୋଟି ରାଜ୍ୟରେ ଚାଷୀଙ୍କ ଭୋଟ ପାଇଁ କଂଗ୍ରେସ ସରକାରକୁ ଆସିଛି । ଏଣୁ ଆଗାମୀ ନିର୍ବାଚନ ପୂର୍ବରୁ ଯଦି ଚାଷୀଙ୍କ ଦାବୀ ପୂରଣ ନହୁଏ ତେବେ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ପଡିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି । ସେପଟେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ସବୁ ପ୍ରଣୟନ କରିଛନ୍ତି । ସେ କାଳିଆ ହେଉ ବା ଅନ୍ୟ କିଛି ଯୋଜନା । ତେବେ ଏତେ ଯୋଜନା ଘୋଷଣା କରିବା ପରେ ମଧ୍ୟ ଚାଷୀମାନେ ଉପକୃତ ହେଉନାହାଁନ୍ତି । ମାତ୍ର ନେତା ଏବଂ ବଡ ବଡିଆମାନେ ଏଥିରେ ଉପକୃତ ହେଉଥିବା କୃଷକ ସଂଘ ଅଭିଯୋଗ କରିଛି । ରାଜ୍ୟରେ ୩୬ଲକ୍ଷ ଚାଷୀଙ୍କ ପାଇଁ ୫ହଜାର ଟଙ୍କା ଲେଖାଏଁ ସୁରକ୍ଷା ଭତ୍ତା ବର୍ଷକୁ ୨୧ହଜାର ୬୦୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରିବା ପାଇଁ ସଂଗଠନ ଦାବି କରୁଛି । ସରକାର ତୁରନ୍ତ ଅଧ୍ୟାଦେଶ ମାଧ୍ୟମରେ ଏହି ବଜେଟ୍ ବ୍ୟବସ୍ଥା କରନ୍ତୁ, ନଚେତ୍ ବିଶାଳ ଚାଷୀ ସମାବେଶ, ଅର୍ଥନୀତିକ ଅବରୋଧ ଓ ସବୁସ୍ତରରେ ଲଢ଼େଇ କରାଯିବ ବୋଲି ନବନିର୍ମାଣ କୃଷକ ସଂଗଠନ ଚେତାବନୀ ଦେଇଛି ।