ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଅନ୍ୟକୁ ବଦନାମ କରିବାକୁ ଯେତିକି ବୁଦ୍ଧି ବାବୁ ଖଟାଉଛନ୍ତି ଯଦି ସେତିକି ଲୋକଙ୍କ ହିତ ପାଇଁ ଲଗାନ୍ତେ ତେବେ କେତେ କ’ଣ ହୋଇଯାଆନ୍ତା । ହେଲେ ବାବୁଙ୍କର ତ’ ଏକାଜିଦ୍ ଯେମିତି ହେଉ ସାର ବଦନାମ ହୁଅନ୍ତୁ । ଖାସ ଏଥିପାଇଁ ତ’ କେତେକ ଡିଜିଟାଲ ମିଡିଆକୁ ବାବୁ ଧରିଛନ୍ତି । ହାତଗୁଞ୍ଜା ଦେଇ ମିଥ୍ୟା ପ୍ରଚାର କରିବାରେ ଲାଗିଛନ୍ତି । ନିଜ ସ୍ୱାର୍ଥ ପୂରଣ ନହେବାରୁ ଜଣେ କେଉଁ ସ୍ତରକୁ ଖସି ପାରେ ଏହାଠୁ ବଡ଼ ପ୍ରମାଣ ଆଉ କ’ଣ ହୋଇପାରେ । ଗତକାଲି ସନ୍ଧ୍ୟାରେ ଏମିତି କିଛି ଆଲୋଚନା ଶୁଣିବାକୁ ମିଳିଥିଲା ଏକ ପୁଲିସ ଷ୍ଟେସନରେ ।
ପୁଲିସ ଡିଜି ଡା ରାଜେନ୍ଦ୍ର ପ୍ରଶାଦ ଶର୍ମାଙ୍କୁ ନେଇ ଏବେ ଚାଲିଥିବା ହୀନ ଚକ୍ରାନ୍ତକୁ ନେଇ ଖୋଦ୍ ପୁଲିସ ମହଲରେ ବି ଦେଖାଦେଇଛି ତୀବ୍ର ଅସନ୍ତୋଷ । ପୁଲିସ କମିଶନରେ ଭାବେ ପ୍ରଥମେ ନଜରକୁ ଆସିଥିବା ଶ୍ରୀ ଶର୍ମା ଖୁବ କମଦିନରେ ସହରବାସୀଙ୍କ ମନ ଜିଣିଥିଲେ । ପୁଲିସର ହାଇଟେକ ବ୍ୟବସ୍ଥା ହେଉ ଅବା ଅପରାଧୀଙ୍କୁ ସାବାଡ କରିବା ଲାଗି କ୍ୟୁଏଟି ବ୍ୟବସ୍ଥା ଲାଗୁ କରି ଲୋକଙ୍କ ବିଶ୍ୱାସ ଜିତିଥିଲେ । ହେଲେ ଏବେ ସେହି ବିଶ୍ୱାସରେ ବିଷ ଭରିବା ଲାଗି ଆରମ୍ଭ ହୋଇଛି ଉଦ୍ୟମ । କୁହାଯାଉଛି ଜଣେ ବରିଷ୍ଠ ପୁଲିସ ଅଧିକାରୀ ହିଁ ଏସବୁ ନାଟ ଲଗାଇଛନ୍ତି । ପାଖେପାଖେ ରହି ପଛରୁ ଛୁରି ଭୁଷୁଛନ୍ତି । ନେତା ମନ୍ତ୍ରୀଙ୍କୁ ଧରି ସବୁ ଆଡୁ ଫେଲ ମାରିବା ପରେ ଏବେ ଡିଜିଟାଲ ଗଣମାଧ୍ୟମକୁ ଧରି ଡିଜିଙ୍କୁ ବଦନାମ କରିବାକୁ ଭରପୂର ଉଦ୍ୟମ ଚଳାଇଛନ୍ତି ।
ଏ କଥା ନୁହେଁ ଯେ, ମୋଫତ୍ରେ ଏହି ଡିଜିଟାଲ ମିଡିଆ ବାବୁଙ୍କ କଥାରେ ଉଠୁବସ ହେଉଛି ବରଂ ମୋଟା ଅଙ୍କର ହାତଗୁଞ୍ଜା ନେଇ ବଦନାମ କରିବା ଅଭିଯାନରେ ସାମିଲ ହୋଇଛି । ଏ କଥା ଆମେ ଏଥିପାଇଁ କହୁଛୁ କାରଣ ଟଙ୍କା କାରବାର କଥା ଖୋଦ୍ ସେହି ଡିଜିଟାଲ ମିଡିଆ ହିଁ ପ୍ରଥମେ ଉଠାଇଛି । ମନ୍ଦିର ଭିତରେ କିଏ ନା’ ମୁଁ କଦଳୀ ଖାଇନି ଭଳି ନିଜେ ପ୍ରମାଣ କରାଇ ଦେଇଛି, ଟଙ୍କା ନେଇ କଳାକୁ କିପରି ଧଳା କରାଯାଏ । ଜଣେ ସଚ୍ଚୋଟ ଅଫିସରକୁ କିଭଳି ବଦନାମ କରାଯାଏ । କେବଳ ଏତିକି ନୁହେଁ କହି ଦେଉଥାଇ ପରକୁୁ ବୁଦ୍ଧି ନଦିଶଇ ଘରକୁ ଭଳି ଚକ୍ରାନ୍ତକାରୀ ବାବୁଙ୍କଠୁ ଢ଼େର ମାଲ ପକାଇ ଏବେ ଏହି ଡିଜିଟାଲ ମିଡିଆ ଅପପ୍ରଚାରରେ ମାତିଛି ।
ଆଶା କରିବୁ ଏହି ରିପୋର୍ଟ ପରେ ଅନ୍ୟକୁ ଆଙ୍ଗୁଳି ଉଠାଉଥିବା ଓ ଜଣେ ସଚ୍ଚୋଟ ଅଫିସରଙ୍କୁ ବଦନାମ କରିବାକୁ ଠିକା ନେବା ଭଳି କାର୍ଯ୍ୟରୁ ବିରତ ରହିବ ଏହି ଗଣମାଧ୍ୟମ । ନଚେତ୍ ଦିନ ଆସିବ ଲୋକେ ଗଣମାଧ୍ୟମକୁ ଆଉ ଗଣମାଧ୍ୟମ ନୁହେଁ ବଂର ବାବୁଙ୍କ ବୋଲକରା ବୋଲି ଆଖ୍ୟା ଦେବେ ।