ଯାଜପୁର (ଏଟିଆର ବ୍ୟୁରୋ); ଅପରାଧୀକୁ ସବକ ଶିଖାଇବା ପାଇଁ ପୋଲିସ କର୍ମଚାରୀମାନେ ନିଯୁକ୍ତ ହୋଇଥାନ୍ତି । ଫସଲକୁ ଯେପରି ବାଡ ସୁରକ୍ଷା ଦେଇଥାଏ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ପୋଲିସ ନିୟୋଜିତ ହୋଇଥାନ୍ତି । ତେବେ ବାଡ ଯଦି ଫସଲ ଖାଇବାକୁ ଚେଷ୍ଠା କରିବ ତେବେ ଫସଲକୁ କିଏ ଅବା ଶାହା ହେବ । ଏବେ ଏଭଳି ଏକ ଘଟଣାକୁ ନେଇ ଯାଜପୁର ଅଞ୍ଚଳରେ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ପାଣିକୋଇଲି ଟୋଲ ଗେଟ୍ ନିକଟରେ କାର୍ଯ୍ୟରତ ଦଳିତ ଓଏପିଏଫ ରବିନ୍ଦ୍ର ପୂର୍ତ୍ତିଙ୍କୁ ଯାଜପୁର ରୋଡ ଥାନା ଅଧିକାରୀ ଅମିତାଭ ମହାପାତ୍ର ଜାତିଆଣ ଆକ୍ଷେପ କରିଥିଲେ । ଯାହାକି ସ୍ଥାନୀୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ଏହି ଘଟଣାରେ ନୂଆ ମୋଡ ନେଇଛି ।
ଆକ୍ଷେପ ଅଭିଯୋଗରେ ଥାନା ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ମାନ୍ୟବର ହାଇକୋର୍ଟ ପାଣିକୋଇଲି ଥାନାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପୋଲିସକୁ ଗିରଫ କଲେ କାଳେ ପୋଲିସର ଅସଲ ଚେହେରା ପଦାକୁ ପଳେଇ ଆସିବ ଏଣୁ ପାଣିକୋଇଲି ଥାନା ଅଧିକାରୀ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଅଭିଯୋଗରେ ପାଇକୋଇଲି ଥାନା ପୋଲିସ ରବିବାର କଳିଙ୍ଗନଗର ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରତାପ କୁମାର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଥାଉକି ପୂର୍ବରୁ ପ୍ରତାପଙ୍କ ନାମରେ କୌଣସି ବି ମାମଲା ନାହିଁ । ତେବେ ପୋଲିସ ତାଙ୍କୁ କାହିଁକି ଗିରଫ କଲା ତାକୁ ସେନେଇ ସ୍ଥାନୀୟ ଲୋକଙ୍କ ମନରେ ଉଠିଛି ପ୍ରଶ୍ନବାଚୀ । ସେପଟେ ଏନେଇ ପାଣିକୋଇଲି ଥାନା ଅଧିକାରୀ ଅଜୟ ଜେନାଙ୍କୁ ପଚାରିବା ପରେ ସେ କହିଥିଲେ କି ଯାଜପୁର ରୋଡ ଥାନା ଅଧିକାରୀଙ୍କୁ ହାଇକୋର୍ଟ ଦେଇଥିବା ଗିରଫ ନିର୍ଦ୍ଦେଶକୁ ପ୍ରତାପ ସୋସିଆଲ ମିଡିଆରେ ଭାଇରାଲ କରିଥିବା କାରଣରୁ ତାଙ୍କୁ ଗିରଫ କରାଯାଇଛି ବୋଲି ସଫେଇ ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ସାଧାରଣ ଜନତା କଥା ହେଉଛନ୍ତି କି ଜଣେ ପୋଲିସ ଭୁଲ କରୁଛି ଏବଂ ଆଉଜଣେ ପୋଲିସ ତାକୁ ସୁରକ୍ଷା ଦେଉଛି ଏବଂ ଏମାନଙ୍କ କୋଳା କୋଳି ଭିତରେ ଲୁଚି ଯାଉଛି ମାନ୍ୟବର ହାଇକୋର୍ଟଙ୍କ ରାୟ । ତେବେ ଏହି ଘଟଣାକୁ ନେଇ ଶ୍ରମିକ ସଂଘ ଏବଂ ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ଏବଂ ସେମାନେ ଦାବି କରୁଛନ୍ତି କି ପୋଲିସ ବାବୁ ଭାଇ ପ୍ରେମ ଛାଡି ଶିଘ୍ର ଗିରଫ କରନ୍ତୁ । ତେବେ ଏତେସବୁ ଘଟଣା ପରେ ସାଧାରଣରେ ପ୍ରଶ୍ନ ଉଠୁଛି କେବେ ଗିରଫ ହେବେ ଥାନା ଅଧିକାରୀ ?