ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଆଗରୁ ଶୋଇଥିଲେ । ଏବେ ନିଦ ଭାଙ୍ଗିଲା । ନିଜ ଉପରେ ପଡିବା ପରେ ବୁଦ୍ଧି ଉଦୟ ହେଲା । ସ୍କାନରକୁ ଆସିଲା ଉକ୍ରଳ ୟୁନିଭରସିଟି ଭିତରେ ଥିବା ହଷ୍ଟେଲ । ଯୁନିଭରସିଟି ହଷ୍ଟେଲରେ ରହି ଅଣଛାତ୍ରମାନେ ସବୁବେଳେ ଅପ୍ରୀତିକର ପରିସ୍ଥିତି ଉପୁଜାଉଥିବା ଜଣାପଡିବା ପରେ ଏବେ ଆକ୍ସନ ମୁଡକୁ ଆସିଛି କମିଶନରେଟ ପୁଲିସ । ପାଖାପାଖି ୪ପ୍ଲାଟୁନ୍ ଫୋର୍ସ ଧରି ପୁଲିସ ବୟେଜ ହଷ୍ଟେଲରେ ଚଢ଼ାଉ କରିଛି । ୭ନମ୍ବର ଛାତ୍ରାବାସରେ ଚଢ଼ାଉ ହୋଇଥିବା ବେଳେ ସେଥିରେ ଥିବା ଅଣଛାତ୍ରଙ୍କୁ ତଡ଼ା ଯାଇଛି । ପୁଲିସର ଏଭଳି ମିଶନକୁ ନେଇ ଯଦିଓ ପରିସ୍ଥିତି ସାମାନ୍ୟ ଅଶାନ୍ତ ହୋଇଛି ତଥାପି ପୁଲିସର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ।
୭ଦିନ ତଳେ ଏକ ଦୁର୍ଘଟଣାକୁ ନେଇ ସହିଦନଗର ଥାନାରେ ତୁମୁଳକାଣ୍ଡ ଘଟିଥିଲା । ଥାନା ଭିତରେ ଭଙ୍ଗାରୁଜା ସାଙ୍ଗକୁ ପୁଲିସ ମଧ୍ୟ ବହେ ଖୋବା ଖାଇଥିଲା । ବାସ ଏହାପରେ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ତେବେ ଏହାକୁ ନେଇ ମଧ୍ୟ ଉଠିଛି ଅନେକ ପ୍ରଶ୍ନ? କାରଣ ପୁଲିସ ରେକର୍ଡ କହୁଛି ପୂର୍ବରୁ ଅଣଛାତ୍ରଙ୍କ ପାଇଁ ବହୁ ଲଙ୍କାକାଣ୍ଡ ଘଟିଛି । ଅଯଥାରେ ଗଣ୍ଡଗୋଳ ସାଙ୍ଗକୁ ରାସ୍ତା ଅବରୋଧ କରି ଗୁଣ୍ଡାରାଜ ଦେଖାଇଛନ୍ତି ଅଣଛାତ୍ର । ରାସ୍ତା ଜାମ୍ ପାଇଁ ଜଣେ ମହିଳାଙ୍କ ଜୀବନ ମଧ୍ୟ ଯାଇଥିବା ନଜିର ରହିଛି । ତେବେ ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି ପୁଲିସ ସେଭଳି କୌଣସି ପଦକ୍ଷେପ ନେଇନଥିଲା । ବରଂ କ୍ୟାମ୍ପସରେ ଲଙ୍କାକାଣ୍ଡ ଘଟିବା ପରେ ଲୋକ ଦେଖାଣିଆ ଭାବେ କ୍ୟାମ୍ପସରେ ଫୋର୍ସ ମୁତୟନ କରି ପୁଲିସ କେବଳ ନିଜର ହାଜିରା ପକାଉଥିଲା ।
ହେଲେ ଏଥରକ ଜ୍ଞାନ ଉଦୟ ହୋଇଛି । ନିଜେ ମାଡ ଖାଇବା ପରେ ଏବେ ପୁଲିସର ଚେତା ପଶିଛି । ଆଉ ଅଭିଯୋଗକୁ ନଦେଖି ଅଚାନକ ଚଢ଼ାଉ କରିଛି । ଚଢ଼ାଉ ବେଳେ ହଷ୍ଟେଲରୁ ବହୁ ମଦ ବୋତଲ ସାଙ୍ଗକୁ ହୁକା ମିଳିଥିବା ଜଣାପଡିଛି । କେବଳ ଏତିକି ନୁହେଁ ଚଢ଼ାଉ ସମୟରେ ଏକାଧିକ ଥାନା ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଖୋଦ୍ ୟୁନିଭରସିଟି କୁଳପତି ମଧ୍ୟ ଉପସ୍ଥିତ ରହିଥିଲେ । ସେପଟେ ଯେଉଁ କାମ ପୁଲିସ ଆଜି କଲା ଯଦି ଆଗରୁ ଏଭଳି ପଦକ୍ଷେପ ନେଇଥାନ୍ତା ତେବେ ହୁଏତ ପୁଲିସ ମାଡ଼ ଖାଇବା ଭଳି ପରିସ୍ଥିତି ଉପୁଜି ନଥାନ୍ତା ।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ଏକାଧିକ ରାଜନୈତିକ ଦଳର କର୍ମୀମାନେ ହଷ୍ଟେଲଗୁଡିକୁ କବଜା କରି ଏକପ୍ରକାର ରଖିଛନ୍ତି । ସେଠାରେ ରହି ମଦମାଂସ ଖାଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏ କଥା ନୁହେଁ ଯେ, ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ କିଛି ଜାଣୁନାହାନ୍ତି ବରଂ ମାଡ଼ ଭୟରେ ସେମାନେ ଚୁପ ରହୁଛନ୍ତି । ହେଲେ ଅଣଛାତ୍ରଙ୍କ ପାର୍ଦୁଭାବ ବଢ଼ି ବଢ଼ି ପୁଲିସ ଉପରେ ପଡିବା ପରେ ଏବେ ସମସ୍ତଙ୍କ ହେତୁ ପଶିଛି । ଆଶା କରିବୁ ଆଜିକାର ଚଢ଼ାଉ ଭଳି ଲଗାତାର ଯଦି ଯାଞ୍ଚ ହେବ ତେବେ କ୍ୟାମ୍ପସରେ ଶାନ୍ତି ବଜାୟ ରହିବା ସାଙ୍ଗକୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଆଉ ଉପଜିବ ନାହିଁ । ବ୍ୟୁରୋ ରିପୋର୍ଟ ଏଟିଆର ନ୍ୟୁଜ୍