କାକଟପୁର,(ଏଟିଆର ବ୍ୟୁରୋ): ଢ଼େରଦିନ ହେବ ଲୁଚାଣିଆ ଭାବେ ଚାଲିଥିବା ଏକ ସେକ୍ସ ର୍ୟାକେଟ ଘଟଣାର ପର୍ଦ୍ଦାଫାସ କରିଛି ପୁଲିିସ । ଏକ ଲଜରେ ଚଢ଼ାଉ କରି ୪ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ୪ ଗରାଖଙ୍କୁ ମଧ୍ୟ ଗିରଫ କରିଛି । ଘଟଣାଟି ହେଉଛି କାକଟପୁର ଅଞ୍ଚଳର । କାକଟପୁରରେ ଥିବା ମଙ୍ଗଳା ଲଜରେ ଏହି କୁତ୍ସିତ କାରବାର ଚାଲୁଥିଲା ।
ତେବେ ଏନେଇ ଅଭିଯୋଗ ହେବା ପରେ ପୁଲିସ ଆରମ୍ଭ କରିଥିଲା ଖୋଳତାଡ । ଆଜି ଘଟଣା ସମ୍ପର୍କରେ ପକ୍କା ଖବର ମିଳିବା ପରେ ଅଚାନକ ପୁଲିସ ଲଜ ଉପରେ ଛାପା ମାରିଥିଲା । ତେବେ ଚଢ଼ାଉ ସମୟରେ ୪ଜଣ ଦେହଜୀବୀ ପୁଲିସ ସ୍କାନରକୁ ଆସିଥିଲେ । କେବଳ ଏତିକି ନୁହେଁ ସେମାନଙ୍କ ସହ ଅନ୍ତଗରଂ ସମୟ ବିତାଉଥିବା ୪ଜଣ ଗରାଖ ମଧ୍ୟ ପୁଲିସ ହାବୁଡ଼ରେ ପଡିଥିଲେ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଲଜ ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ସବୁଠୁ ବଡ଼ କଥା ହେଉଛି କାକଟପୁର ଭଳି ଇଲାକାରେ ଏଭଳି କାରବାର ଲୋକଙ୍କୁ ବେଶ ଚିନ୍ତାରେ ପକାଇଛି । ଦୈନିକ ହଜାର ହଜାର ଲୋକ ଏଠାକୁ ବୁଲିବାକୁ ଆସୁଥିବା ବେଳେ ଏଭଳି କୁତ୍ସିତ କାରବାର ପୂରା ଇଲାକାକୁ ବଦନାମ କରିଛି । ଶୁଣିବାକୁ ମିଳୁଛି ମୋଟା ଅଙ୍କର ଟଙ୍କା ଆଶାରେ ଲଜ ମାଲିକ ଏଭଳି କାମକୁ ପ୍ରୋତ୍ସାହନ ଦେଉଥିଲେ । ତେଣୁ ଲଜ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁଆଡୁ ଦାବି ହୋଇଛି । ସେପଟେ ହୋଟେଲ ଓ ଲଜକୁ ହାତ କରି କେତେକ ଦଲାଲ ଏଭଳି କାରବାର କରୁଥିବା ବେଳେ ଏହା ଉପରେ ପୁଲିସ ନଜର ରଖିବାକୁ ମଧ୍ୟ ଦାବି ହୋଇଛି ।