ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବର୍ତ୍ତମାନର ପରିସ୍ଥିତିରେ ଲୋକ ମାନଙ୍କ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ମାନେ ଦିନ ରାତି ଏକ କରି କାମ କରୁଛନ୍ତି । ଯେଉଁଥି ପାଇଁ ସେମାନଙ୍କ ଉପରେ ଅଧିକ ଚାପ ପଡୁଛି । ଏହାକୁ ନଜରରେ ରଖି ଓଡିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଆଡଭାଇଜାରି ଜାରି କରାଯାଇଛି । ପୋଲିସ କର୍ମଚାରୀଙ୍କୁ ଯେପରି ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ମିଳେ, ସେଥି ନିମନ୍ତେ ଜାରି ହୋଇଛି ଗାଇଡଲାଇନ। ଏହା ସହ କର୍ମଚାରୀମାନେ ଦିନକୁ ୮ ଘଣ୍ଟାରୁ ଯେପରି ଅଧିକ ସମୟ ଡ୍ୟୁଟି ନ କରିବେ ସେନେଇ ଦୃଷ୍ଟି ଦିଆଯାଇଛି । ପୋଲିସ ଡିଜି ଅଭୟ ସମସ୍ତ ଜିଲ୍ଲାର ଏସପି ଓ ଡିସିପିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ପରେ ଏହି ଆଡଭାଇଜରି ଜାରି କରାଯାଇଛି।
ସୂଚନାଯୋଗ୍ୟ ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରିବାରେ ଲାଗି ପଡିଛି । ସାରା ବିଶ୍ୱରେ ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାୟ ୩୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ସେହିଭଳି ଭାରତରେ କରୋନା ଭାଇରସରେ ୨୯ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ ଅଧିକ ହୋଇସାରିଲାଣି । କରୋନା ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶକୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ କରିଦିଆ ଯାଇଛି ।