ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣି ଓଡିଶା ଗସ୍ତରେ ଆସିବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଫେବ୍ରୁଆରୀ ୬ ତାରିଖରେ ଓଡିଶା ଆସି ଦୁଇଟି ସ୍ଥାନରେ ସାଧାରଣ ସଭା କରିବେ । ରାହୁଲ ପ୍ରଥମେ କୋରାପୁଟ ଗସ୍ତରେ ଯାଇ ଭବାନୀ ପାଟଣାରେ ଏକ ସାଧାରଣ ସଭାରେ ଯୋଗ ଦେବେ ଏବଂ ପରେ ସୁନ୍ଦରଗଡରେ ମଧ୍ୟ ଏକ ସାଧାରଣ ସଭାରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାହୁଲ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡିଶା ଗସ୍ତ । ମାତ୍ର ୧୫ ଦିନ ବ୍ୟବଧାନରେ ସେ ଦ୍ୱିତୀୟ ଥର ପାଇଁ ଓଡିଶା ଗସ୍ତରେ ଆସିବେ ।
ଗତ ଜାନୁଆରୀ ୨୫ ତାରିଖରେ ଭୁବନେଶ୍ୱର ତମାଣ୍ଡୋ ପଡିଆରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାରେ ଯୋଗ ଦେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଉଭୟ ସରକାରଙ୍କ ମଧ୍ୟରେ ସଲା ସୁତରା ସମ୍ପର୍କ ରହିଛି ବୋଲି ରାହୁଲ କହିଥିଲେ । କେବଳ ଲୋକଙ୍କ ଆଗରେ ନାଟକ କରୁଛନ୍ତି ଉଭୟ ସରକାର । ଓଡିଶାରେ ଦୀର୍ଘଦିନ ଶାସନରେ ରହିଥିଲେ ମଧ୍ୟ ଆଜି ବି ପଛରେ ରହିଛି । ଏବଂ କଂଗ୍ରେସ ସବୁବେଳେ ଚାଷୀଙ୍କ ପାଇଁ କାମ କରୁଥିଲା ଏବଂ କରୁଥିବ ବୋଲି ରାହୁଲ କହିଥିଲେ । ନିକଟରେ ଚାଷୀଙ୍କୁ ପାଇଁ ବଡ ଘୋଷଣା କରି ତିନୋଟି ରାଜ୍ୟରେ ସରକାର ଗଢ଼ିଛନ୍ତି । ଏଣୁ ରାହୁଲଙ୍କ ଗସ୍ତ ଦିନ ନବୀନ ପୁରୀରେ ଚାଷୀଙ୍କ ପାଇଁ ନିକଟରେ ଘୋଷଣା କରିଥିବା କାଳିଆ ଯୋଜନାର କାର୍ଯ୍ୟକ୍ରମ ରଖିଥିଲେ ।
ରାହୁଲ ନିର୍ବାଚନ ପୂର୍ବରୁ ପ୍ରତିମାସରେ ଥରେ ଓଡିଶା ଗସ୍ତରେ ଆସିବେ ବୋଲି କହିଥିଲେ । ତେବେ ରାହୁଲଙ୍କ ଗସ୍ତକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ । ନିର୍ବାଚନ ପାଖେଇ ଆସୁଥିବାରୁ ଗୁରୁଜ୍ଞାନ ମିଳିବ ବୋଲି ଆଶା କରିଛନ୍ତି । ସେପଟେ ଏହି କିଛି ଦିନ ପରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପଶ୍ଚିମ ଓଡିଶା ଗସ୍ତରେ ଆସିବେ ବୋଲି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଥିଲେ । ଯାହାକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ । ରାଜ୍ୟରେ କଂଗ୍ରେସକୁ ଶନି ଦଶ ପଡିଥିବା ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ଦଳରୁ ବହୁ ତୁଙ୍ଗ ନେତାଙ୍କ ଦଳ ଛାଡିବା ଏବଂ ବହିଷ୍କାର ହେବା ଦଳ ପାଇଁ ଅଶୁଭ ସୂଚନା । ଏଣୁ ଦଳୀୟ କନ୍ଦଳକୁ ତୁଟାଇ କର୍ମୀଙ୍କୁ ଏକାଠି କରି ଆଗାମି ନିର୍ବାଚନ ଲଢ଼ିବାର ମନ୍ତ୍ର ପଢ଼ାଇବା ପାଇଁ ଓଡିଶା ଆସୁଛନ୍ତି ରାହୁଲ ।
ନିର୍ବାଚନ ପାଖେଇ ଆସୁଥିବାରୁ ମାଳ ମାଳ କେନ୍ଦ୍ରୀୟ ନେତାଙ୍କ ଓଡିଶା ଗସ୍ତକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ବାରମ୍ବାର ଓଡିଶା ଗସ୍ତରେ ଆସିଛନ୍ତି । ସେପଟେ କଂଗ୍ରେସର ମଧ୍ୟ ବହୁ ନେତା ମଧ୍ୟ ଓଡିଶା ଗସ୍ତରେ ଆସିଛନ୍ତି । ତେବେ ଏଥିରୁ ବାଦ ପଡି ନାହାଁନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ଅରବିନ୍ଦ କେଜ୍ରିୱାଲ । ସେ ଆଜି ଓଡିଶା ଗସ୍ତରେ ଆସି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏବେ ସାଧାରଣରେ ଚର୍ଚ୍ଚା ହେଉଛି କି ଓଡିଶା କେନ୍ଦ୍ରୀୟ ନେତାଙ୍କ ନଜରରେ ରହିଛି । ମାତ୍ର ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ସୁପ୍ରିମୋ ମତ ରଖିଛନ୍ତି ।