ବ୍ରହ୍ମଗିରି (ଏଟିଆର ବ୍ୟୁରୋ); ୨୦୧୪ ନିର୍ବାଚନରେ ବଡ ଭାଇଙ୍କୁ ହରାଇବା ପରେ ଚଳିତ ନିର୍ବାଚନାରେ ସାନ ଭାଇ ସହ ବଳ କଷାକଷି ହେବାକୁ ଯାଉଛି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ସଂଜୟ ଦାଶ ବର୍ମା ବିଜେଡି ଟିକେଟ ପାଇଥିବା ବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ତେବେ ୨୦୧୪ ନିର୍ବାଚନରେ ସଂଜୟଙ୍କୁ କଡା ଟକ୍କର ଦେଇଥିଲେ ସ୍ୱର୍ଗତ ଲୁଲୁ ମହାପାତ୍ର । ରାଜ୍ୟ ରାଜନୀତିରେ ଯୁବ ଗୋଷ୍ଠୀଙ୍କୁ ନୂଆ ଦିଗଦର୍ଶନ ଦେଖାଇବାରେ ଲୁଲୁ ମହାପାତ୍ରଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ସେ ମାତ୍ର ୧୬୪୮ ଖଣ୍ଡ ଭୋଟରେ ସଂଜୟଙ୍କଠାରୁ ପରାସ୍ତ ହୋଇଥିଲେ । ତେବେ ତାଙ୍କର ମୃତ୍ୟୁ ପରେ ଲୁଲୁଙ୍କ ପରିବାର ବିଜେପିରେ ଯୋଗ ଦେଇଛି । ଏଣୁ ବିଜେପି ପକ୍ଷରୁ ତାଙ୍କ ସାନ ଭାଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।
ଲଳିତେନ୍ଦୁ ବିଜେପିରେ ଯୋଗ ଦେବା ପରେ କଂଗ୍ରେସର ବହୁ ତୁଙ୍ଗ ନେତା ମଧ୍ୟ ବିଜେପି ମୁହାଁ ହୋଇଛନ୍ତି । ଅପରପକ୍ଷରେ ଲୁଲୁଙ୍କ ବହୁ ସମର୍ଥକ ଏବଂ ବ୍ୟକ୍ତିଗତ ଭୋଟ ବ୍ୟାଙ୍କକୁ ମଧ୍ୟ ହାତେଇଛନ୍ତି ଲଳିତେନ୍ଦୁ । ଏଣୁ ଏଠାରେ ବିଜେପିର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି । ଅପରପକ୍ଷରେ ଲୁଲୁ ମାହପାତ୍ରଙ୍କ ଝିଅ ଉପାସନା ନିର୍ବାଚନ ପ୍ରଚାର କରୁଥିବାରୁ କିଛି ଅନୁକମ୍ପା ଭୋଟ ମଧ୍ୟ ତାଙ୍କ ଦାଦାଙ୍କ ଖାତାକୁ ଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ମୁଖ୍ୟ ଅସ୍ତ୍ର କରି ଲୋକଙ୍କ ପାଖରେ ପହଁଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି ସଜୟ ଦାଶ ବର୍ମା । ନବୀନଙ୍କ ଶାସନ କାଳ ମଧ୍ୟରେ ସମସ୍ତ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଅବହେଳା ସମ୍ପର୍କରେ ଭୋଟରଙ୍କୁ ଜଣାଇ ଭୋଟ ହାତେଇବା ଲକ୍ଷ୍ୟରେ ବିଜେଡି । ତେବେ ଏଠାରେ କଂଗ୍ରେସ ଟିକେଟରେ ଲଢ଼ୁଥିବା ଉମାକାନ୍ତ ବରାଳ ଏହି ହେବିୱେଟ ମଧ୍ୟରେ ହଜି ଯିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗାମି ଦିନରେ ବ୍ରହ୍ମଗିରି ଜନତା କାହା ଉପରେ ଭରଷା କରି ଭୋଟ ଦେବେ ତାଉପରେ ସମସ୍ତଙ୍କ ନଜର ।