ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରୋଚକ ମୋଡରେ ରହିଛି ସୁନ୍ଦରଗଡ ସସଂଦୀୟ କ୍ଷେତ୍ର । ତିନି ପ୍ରମୁଖ ରାଜନୈତିକ ଦଳର ତୁଙ୍ଗ ନେତା ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି । ଏଣୁ ଏହି ଆସନରେ କଡା ଟକ୍କର ହେବ ବୋଲି ଶୁଣିବାକୁ ମିଳିଛି । ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିଜେପି ପକ୍ଷରୁ ନିର୍ବାଚନକୁ ଓହ୍ଲାଉଛନ୍ତି । ଅପରପକ୍ଷରେ କିଜେଡି ପକ୍ଷରୁ ସୁନୀତା ବିଶ୍ୱାଳ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଜର୍ଜ ତୀର୍କୀଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଦୁଇ ଦଳ ନୂଆ ମୁହଁ ଉପରେ ଭରଷା କରି ଟିକେଟ ଦେଇଥିବା ବେଳେ ବିଜେପିର ଜୁଏଲ ଓରାମଙ୍କୁ ବିଜୟ ପାଇଁ ସହଜ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ଗତ ନିର୍ବାଚନରେ ଜୁଏଲ ଓରାମ ଏକମାତ୍ର ପ୍ରାର୍ଥୀ ଭାବରେ ବିଜେପିରୁ ବିଜୟ ହୋଇଥିଲେ । ବିଜେଡି ୨୧ ଆସନରୁ ୨୦ଟି ଆସନରେ ବିଜୟ ହୋଇଥିଲା । କିନ୍ତୁ ଜୁଏଲ ଓରାମଙ୍କ ଜିତିବା ବିଜେପି ପାଇଁ ବଡ ବିଜୟ ଥିଲା । ଗତ ନିର୍ବାଚନରେ ଏଠାରେ ବିଜେଡି ପକ୍ଷରୁ ଦିଲୀପ ତୀର୍କୀ ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ପରାଜୟ ହୋଇଥିଲେ । ତେବେ ସେହି ଆସନରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ନିର୍ବାଚନକୁ ଓହ୍ଲାଇଥିଲେ ସୁଦ୍ଧା ଜୁଏଲ ଓରାମଙ୍କ ଆଗରେ ତିଷ୍ଠି ପାରିନଥିଲେ ବୋଲି ଚର୍ଚ୍ଚା ହେଉଛି ।
ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ପ୍ରାର୍ଥୀ ହୋଇଛନ୍ତି । ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ଦଳ ଭରଷା ରଖି ଟିକେଟ ଦେଇଛି । ତେବେ ଜୁଏଲ ଓରାମଙ୍କୁ ଟକ୍କର ଦେବା ପାଇଁ ସୁନୀତା ଅଣ୍ଟା ଭିଡିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜର୍ଜ ତୀର୍କୀ ଗେମପ୍ଳାନ କରି ସାରିଛନ୍ତି । ତେବେ ଜନତା ଏଠାରେ କାହା ଉପରେ ଭରଷା ରଖି ଭୋଟ ଦେବେ ତାଉପରେ ସମସ୍ତଙ୍କ ନଜର ।