ନୟାଗଡ (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । କାଲି ଯୋଉ ମୁହଁରେ ଉଆ ଆଜି ସେହି ମୁହଁରେ ଉଷୁନା । ଶତୃର ଶତୃ ମିତ୍ର । ତେବେ ଏଭଳି ମିତ୍ର ଏବେ ମେଳି ହୋଇଛନ୍ତି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ । ନୟାଗଡ ଜିଲ୍ଲାରେ ଜନଜାତିଙ୍କ ପାଇଁ ସଂରକ୍ଷିତ ସିଟ ହେଉଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ । ଏଣୁ ଏହି ଆସନ ଉପରେ ସମସ୍ତଙ୍କ ନଜର । ୨୦୧୪ ନିର୍ବାଚନରେ ବିପୁଳ ପରିମାଣରେ ଜିତିଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ବିଜେଡି ଟିକେଟ ନିମିଳିବା ପରେ ସେ ଅସନ୍ତୁଷ୍ଟ ହୋଇ ବିଜେପିରେ ମିଶିଛନ୍ତି । ତେବେ ପୂର୍ଣ୍ଣଙ୍କ ସହ ୨୦୦୯ରେ ବିଜେଡି ଟିକେଟରେ ଜିତିଥିବା କାଶୀନାଥ ମଲ୍ଲିକ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନାରୀ ନେତ୍ରୀ ଇନ୍ଦୁମତୀ ବିଜେପିରେ ଯୋଗ ଦେଇଛନ୍ତି ।
ଦଶପଲ୍ଲା ଆସନ ପାଇଁ ପୂର୍ଣ୍ଣ,ଇନ୍ଦୁମତୀ ଏବଂ କାଶୀନାଥ ବିଜେଡି ଟିକେଟ ପାଇଁ ଆଶା କରିଥିଲେ । କିନ୍ତୁ ହଠାତ ବିଜେଡିରେ ଯୋଗ ଦେଇ ସଂଗଠନ ଆରମ୍ଭ କରିଥିବା ରମେଶ ବେହେରାଙ୍କୁ ଦଳ ଭରଷା କରି ଟିକେଟ ଦେଇଛି । ଏଣୁ ରମେଶଙ୍କୁ ଟିକେଟ ମିଳିବାକୁ ନେଇ ବିଜେଡି ଗୋଷ୍ଠୀରେ ପୂର୍ବରୁ ରହିଥିବା ନେତାମାନେ ମେଳି ହୋଇ ପଦ୍ମ ପୋଖରୀରେ କୁଦ ମାରିଛନ୍ତି । ଯେଉଁ କାରଣରୁ ଦଶପଲ୍ଲରେ ସମୀକରଣ ବଦଳିପାରେ ବୋଲି ଅନୁମାନ କରାଯାଇଛି । ତେବେ ନିର୍ବାଚନ ମଣ୍ଡଳୀରେ ଗତ ତିନୋଟି ନିର୍ବାଚନରେ ବିଜେଡି ବାଜିମାତ କରୁଥିବାରୁ ଦଳ ପାଇଁ ରମେଶ ପ୍ରାର୍ଥୀ କରିଥିବାରୁ ତାଙ୍କ ଉପରେ ଭରଷା ରଖି ଜନତା ଭୋଟ ଦେବେ ।
ଦୀର୍ଘଦିନ ହେବ ନିର୍ବାଚନ ମଣ୍ଡଳୀରେ ବିଜେପି ସଂଗଠନକୁ ଦୃଢ଼ କରୁଥିଲେ ରାଘବ ମଲ୍ଲିକ । ଏଣୁ ସେ ଦଳୀୟ ଟିକେଟ ପାଇବେ ବୋଲି ଆଶା କରାଯାଉଥିଲା । କିନ୍ତୁ ପୂର୍ଣ୍ଣ ନାୟକ ବିଜେପିରେ ଯୋଗ ଦେବା ପରେ ଦଳୀୟ ଟିକେଟ ପୂର୍ଣ୍ଣଙ୍କୁ ନିଶ୍ଚୟ ମିଳିବ ବୋଲି ଶୁଣିବାକୁ ମିଳିଛି । ତେବେ ରାତି ଅନିଦ୍ରା ହୋଇ ସଂଗଠନ କରିଥିବା ରାଘବଙ୍କୁ ଟିକେଟ ନମିଳିଲେ ମୁଗୁରା ପଛ ମେଲା ଭଳି ମନେ ହେବ ବୋଲି ନିର୍ବାଚନ ମଣ୍ଡଳୀରେ ଶୁଣିବାକୁ ମିଳୁଛି ।